ଭୁବନେଶ୍ବର : କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୁଲିସ ଡିଜି ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏ ସମ୍ପର୍କରେ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଜିଲା ଏସ୍ପି/ଡିସିପି ଏବଂ କଟକ ଓ ରାଉରକେଲା ରେଳବାଇ ଏସ୍ପି ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କିମ୍ବା ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେଲେ କି ପ୍ରକାର ପଦକ୍ଷେପ ଜିଲ୍ଲା ପୁଲିସ ଗ୍ରହଣ କରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଅନୁଧ୍ୟାନ କରାଯାଇଥିଲା। ପୁରୀ କୁମ୍ଭାରପଡ଼ା ଥାନା, ଭୁବନେଶ୍ବର କ୍ୟାପିଟାଲ ଥାନା ଏବଂ କଟକର ଚାଉଳିଆଗଞ୍ଜ ଥାନା ଏବଂ ବାରଙ୍ଗ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କରୋନା ପଜିଟିଭ୍ ଜଣାପଡ଼ିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଯାଇଛି। ସେ ପ୍ରଂସଗରେ ଡିଜି ଆଲୋଚନା କରିଥିଲେ। ଏହାବ୍ୟତୀତ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ କ୍ଷେତ୍ରରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ବୈଠକରେ ଡିଜି ଅଭୟଙ୍କ ସମେତ ଏଡିଜି ରେଳବାଇ, ପୁଲିସ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0