ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାର ଖୋଲୁଛି ରହସ୍ଯ। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଜେସିବି ଦ୍ୱାରା ମାଟିତଳୁ ଏକ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା ଜଣାପଡ଼ିନାହିଁ। ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ମୃତଦେହଟିର ଡିଏନଏ ଟେଷ୍ଟ ମଧ୍ଯ କରାଯିବ ବୋଲି ସୂଚନା ମିଳିଛି ।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍ ଚାରିପଟୁ ସିଲ୍ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍, ବ୍ରେସଲେଟ୍, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ବଲାଙ୍ଗିର ଅତିରିକ୍ତ ଏସ୍ପି, ସିନ୍ଧେକେଲା ଆଇଆଇସି, କେଗାଁ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ସେପଟେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ ବାରାକରୁ ଚମ୍ପଟ ମାରିବା ଘଟଣାକୁ ଅଧିକ ରହସ୍ୟମୟ କରିଛି । ଗୋବିନ୍ଦ ସାହୁଙ୍କୁ ଠାବ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଗୋବିନ୍ଦ ସାହୁଙ୍କ କାର୍ ମଧ୍ୟ ଜବତ କରିଛି ପୋଲିସ। ଗତକାଲି ମହାଳିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ଜେରା କରାଯାଇଛି। ଏହାସହ ଜଣେ ଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0