ବାଂଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇବାରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ମଦ୍ରାସାରେ ଆକ୍ରମଣ ହୋଇଛି। ଅଜ୍ଞାତ ଆକ୍ରମଣକାରୀମାନେ ସେଠାରେ ଗୁଳି ଚଳାଇଥିଲେ। ଗୁଳିକାଣ୍ଡ ହେତୁ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ବାକି ତିନିଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ବାଂଲାଦେଶର କକ୍ସ୍ ବଜାରରେ ବିଶ୍ୱର ସବୁଠୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଅବସ୍ଥିତ। ସେଠାରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଛନ୍ତି। ୨୦୧୭ରେ ଏହି ରୋହିଙ୍ଗ୍ୟାମାନେ ମିଆଁମାର୍ ପରିତ୍ୟାଗ କରି ଚାଲି ଆସିଥିଲେ। ଉଖିୟା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଶିହାବ କୈସର୍ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ଗୁଳିକାଣ୍ଡ ସମୟରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତତ୍କ୍ଷଣାତ୍ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାଇ ଗୁଳିଚୋଟ ଖାଇଥିବା ଲୋକମାନଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ୩ଜଣଙ୍କର ମୃତ୍ୟୁ ଘଟିଲା। ଜଣେ ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିଥିବା କଥା କୁହାଯାଉଛି। ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ଲାଗି ଅଭିଯାନ ଚାଲିଛି। ପାହାନ୍ତା ପ୍ରାୟ ୪ଟା ବେଳେ ୧୮ ନମ୍ବର ଶିବିରର ‘ବ୍ଲକ୍ ଏଚ୍-୫୨’ରେ ଥିବା ମଦ୍ରାସାରେ ଅଜ୍ଞାତ ବ୍ୟକ୍ତିମାନେ ଆକ୍ରମଣ କରିଥିବା କଥା ସୁରକ୍ଷା ବଳ ଅଧିକାରୀମାନେ ଜଣାଇଛନ୍ତି। କିନ୍ତୁ, ଏହି ଗୁଳିକାଣ୍ଡ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁଇ ଦଳ ମଧ୍ୟରେ ସଂଘର୍ଷଜନିତ ବୋଲି ପ୍ରଥମେ କୁହାଯାଇଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0