ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାକୁ ଆହ୍ଵାନ ଦେଇ ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ଓ୍ଵାଇ.ଏସ୍. ଶର୍ମିଲା ସମଗ୍ର ତେଲେଙ୍ଗାନା ପରିକ୍ରମା କରିବା ଲାଗି ୪୦୦୦ କିଲୋମିଟର୍ ପଦଯାତ୍ରା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୩ରେ ତାଙ୍କ ବାପା ମଧ୍ୟ ପଦଯାତ୍ରା କରିଥିଲେ। ୨୦୧୩ରେ ଭାଇ ଜଗନ ମୋହନ ରେଡ୍ଡୀ ଜେଲ୍ରେ ଥିବାବେଳେ ‘ଓ୍ଵାଇଏସ୍ଆର୍ ତେଲେଙ୍ଗାନା ପାର୍ଟି’ର ନେତ୍ରୀ ହୋଇଥିବା ଶର୍ମିଲା ୩୦୦୦ କିଲୋମିଟର୍ ପଦଯାତ୍ରା କରିଥିଲେ। ସୂଚନାଯୋଗ୍ୟ, ସମ୍ପ୍ରତି ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ଜଗନଙ୍କ ‘ଓ୍ଵାଇଏସ୍ଆର୍ କଂଗ୍ରେସ’ ରାଜନୈତିକ କାର୍ଯ୍ୟକଳାପରେ ଶର୍ମିଲାଙ୍କ ଠାରୁ ଦୂରେଇ ରହିଛି। ‘ତେଲେଙ୍ଗାନା ରାଷ୍ଟ୍ର ସମିତି’କୁ କ୍ଷମତାରୁ ହଟାଇବା ଅଭିଯାନରେ ଗତ ବୁଧବାର ଦିନ ୪୭ ବର୍ଷୀୟ ଶର୍ମିଲା ପଦଯାତ୍ରା ଆରମ୍ଭ କରିଛନ୍ତି। ଦୈନିକ ୧୨ ରୁ ୧୫ କିଲୋମିଟର୍ ଚାଲି ଆସନ୍ତାବର୍ଷ ସୁଦ୍ଧା ପଦଯାତ୍ରା ଶେଷ କରିବାକୁ ସେ ଯୋଜନା କରିଛନ୍ତି।
ପିତାଙ୍କ ଜନ୍ମବାର୍ଷିକୀ ଜୁଲାଇ ୮ ତାରିଖ ଦିନ ‘ଓ୍ଵାଇଏସ୍ଆର୍ ତେଲେଙ୍ଗାନା ପାର୍ଟି’ ସ୍ଥାପନ କରିଥିବା ଶର୍ମିଲା ଅଭିଯୋଗ କରିଛନ୍ତି ଯେ, ତେଲେଙ୍ଗାନା ଗଠନ ହେବାଦ୍ୱାରା କେବଳ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପରିବାରବର୍ଗ ଲାଭବାନ ହୋଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0