ସାରା ଦେଶରେ ଡ୍ରଗ୍ସ ସେବନ ଓ ଚାଲାଣକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଏନଡିପିଏସ୍ ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ୟୁଜର୍ସ ଓ ଡିପେଡେଣ୍ଟମାନେ ଯଦି ସ୍ୱଳ୍ପ ପରିମାଣର ଡ୍ରଗ୍ସ ସହ ଧରା ପଡ଼ନ୍ତି, ତା’ହେଲେ ସେମାନଙ୍କୁ ପୀଡ଼ିତ ଭାବେ ବିବେଚନା କରାଯିବ। ସେମାନଙ୍କୁ ଦୋଷୀ କୁହାଯିବ ନାହିଁ। ଏହାବାଦ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ ଜେଲ ଓ ଜୋରିମାନା ବଦଳରେ ବାଧ୍ୟତାମୂଳକ ରିହାବିଲଟେସନ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଏନଡିପିଏସ୍ ଆକ୍ଟ ୧୯୮୫ରେ କିଛି ପରିବର୍ତ୍ତନ ସମ୍ପର୍କରେ ପ୍ରସ୍ତାବ ଦେବାକୁ ରାଜସ୍ୱ ବିଭାଗ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ କହିଥିଲା। ଏହାପରେ ହିଁ ମନ୍ତ୍ରଣାଳୟ ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି। ମନ୍ତ୍ରଣାଳୟ ବିସ୍ତୃତ ଭାବେ ନିଜ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କହିଛି ଯେ ୟୁଜର୍ସମାନଙ୍କୁ ପ୍ରଥମେ ୩୦ ଦିନ ପାଇଁ ବାଧ୍ୟତାମୂଳକ ରିହାବିଲଟେସନରେ ରଖାଯିବ। ଏହାପରେ ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ବାଧ୍ୟତାମୂଳକ ସାମାଜିକ ସେବା କରିବାକୁ କୁହାଯାଇ ପାରେ। ବିପୁଳ ପରିମାଣ ଓ ସ୍ୱପଳ୍ପ ପରିମାଣର ଡ୍ରଗ୍ସ ସହ ଧରା ପଡ଼ୁଥିବା ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଦଣ୍ଡ ପ୍ରଦାନରେ ଯେମିତି ଅସୁବିଧା ନ ହେବ, ସେଥିପାଇଁ ମନ୍ତ୍ରଣାଳୟ ଏପରି ବ୍ୟବସ୍ଥା କରିଛି। ବର୍ତ୍ତମାନ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କ କ୍ଷେତ୍ରରେ ଆଡିକ୍ଟ ଶବ୍ଦର ବ୍ୟବହାର କରାଯାଉଛି। କିନ୍ତୁ ଏନଡିପିଏସ୍ ଆକ୍ଟରୁ ଏହାକୁ ହଟାଇ ଡ୍ରଗ୍ସ ସେବନକାରୀଙ୍କୁ ୟୁଜର୍ସ ଓ ସବଷ୍ଟାନ୍ସ ଡିପେଡେଣ୍ଟ ଭାବେ ନାମିତ କରିବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0