କିଛି ବର୍ଷ ପରେ ମୋ ପଦବୀରେ ମହିଳାମାନଙ୍କୁ ଦେଖିବା ବୋଲି ‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ରେ (ଏନ୍ଡିଏ) ମହିଳା କ୍ୟାଡେଟ୍ମାନଙ୍କ ପ୍ରବେଶଉତ୍ସବରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଓ୍ଵଣେ ପ୍ରଶଂସା କରି କହିଛନ୍ତି। ସେ କହିଛନ୍ତି, ଏହା ହେଉଛି ସଶସ୍ତ୍ର ବାହିନୀରେ ଲିଙ୍ଗଗତ ସାମ୍ୟତା ପ୍ରତି ପ୍ରଥମ ପଦକ୍ଷେପ। ପୁଣେସ୍ଥିତ ‘ଏନ୍ଡିଏ’ର ୧୪୧ତମ ପାଠ୍ୟକ୍ରମର ‘ପାସିଙ୍ଗ୍ ଆଉଟ୍ ପରେଡ୍’ର ସମୀକ୍ଷା କରିବା ପରେ ‘କ୍ୟାଡେଟ୍’ମାନଙ୍କୁ ଉଦ୍ବୋଧନ ଦେଇ ସେନାମୁଖ୍ୟ କହିଲେ, ‘ଏନ୍ଡିଏ’ରେ ମହିଳାମାନେ ତାଲିମ ପାଇ ପରେ ଶସସ୍ତ୍ରବାହିନୀରେ ସାମିଲ ହେବାକୁ ଯାଉଥିବାରୁ ଏହା ହେଉଛି ଲିଙ୍ଗଗତ ସମାନତା ପ୍ରତି ପ୍ରଥମ ପଦକ୍ଷେପ। ମହିଳା କ୍ୟାଡେଟ୍ମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରିଥିବାରୁ ଆପଣମାନେ ସେମାନଙ୍କୁ ସସମ୍ମାନ ତଥା ବୃତ୍ତିଗତ ଔପଚାରିକତା ସହ ସ୍ୱାଗତ କରିବେ ବୋଲି ଆମର ଆଶା। ଏଥିପାଇଁ ଭାରତୀୟ ସଶସ୍ତ୍ରବାହିନୀ ସମଗ୍ର ବିଶ୍ୱରେ ଜଣାଶୁଣା। ପୁରୁଣା ଦିନର ସ୍ମୃତି ମନେପକାଇ ସେ କହିଲେ, ପ୍ରାୟ ୪୨ ବର୍ଷ ତଳେ ଆଜି ଆପଣମାନେ ଯେଉଁ ‘ଡ୍ରିଲ୍ ସ୍କ୍ଵାୟାର୍’ରେ ଠିଆ ହୋଇଛନ୍ତି ମୁଁ ମଧ୍ୟ ଜଣେ ‘କ୍ୟାଡେଟ୍’ ଭାବେ ସେଠାରେ ଠିଆ ହୋଇଥିଲି। ଦିନେ ମୁଁ ମଧ୍ୟ ଏହି ପରେଡ୍ର ସମୀକ୍ଷା କରିବି ବୋଲି କଳ୍ପନା କରି ନ ଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ମହିଳାମାନଙ୍କ ତାଲିମ ସକାଶେ ଭିତ୍ତିଭୂମି ସାମାନ୍ୟ ପରିବର୍ତ୍ତନ ହେବ କିନ୍ତୁ, ତାଲିମ ପୁରୁଷମାନଙ୍କୁ ଦିଆଯାଉଥିବା ତାଲିମ ପରି ରହିବ। ଆଧୁନିକିକରଣ ଏବଂ ପ୍ରତିରକ୍ଷା ତାଲିମରେ ନାରୀମାନଙ୍କୁ ସାମିଲ କରାଯାଉଥିବାରୁ ଆଗାମୀ ଦିନରେ ମୋ ପଦବୀରେ ନାରୀମାନଙ୍କୁ ଦେଖିବାକୁ ପାଇବା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0