ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ପଦ୍ମ ସମ୍ମାନ ପ୍ରତ୍ୟାହାର କରାଯାଇ ତାଙ୍କ ନାମରେ ଦେଶଦ୍ରୋହ ଅଭିଯୋଗ ଆଗତ କରିବା ପାଇଁ କେତେକ ରାଜନୈତିକ ଦଳର ନେତାମାନେ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୟାଗ୍ କରି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ସୁଶ୍ରୀ ରଣାୱତ୍ଙ୍କୁ ପ୍ରଦାନ କରାଯାଇଥିବା ପଦ୍ମ ସମ୍ମାନକୁ ତୁରନ୍ତ ପ୍ରତ୍ୟାହାର କରିନିଆଯିବା ଉଚିତ। ଏଭଳି ସମ୍ମାନ ଦେବା ପୂର୍ବରୁ ମାନସିକ ଆକଳନ କରାଯିବ ଉଚିତ। ସେଭଳି କରାଗଲେ ଭବିଷ୍ୟତରେ ଏଭଳି ବ୍ୟକ୍ତିମାନେ ଦେଶ ଓ ତା’ର ବୀରମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବେ ନାହିଁ। କଙ୍ଗନା ରଣାୱତ୍ଙ୍କ ମନ୍ତବ୍ୟକୁ ଲଜ୍ଜାକର ଏବଂ ବ୍ୟଥାଦାୟକ କହି ଶର୍ମା କହିଛନ୍ତି, ସେ ମହାତ୍ମା ଗାନ୍ଧୀ, ଜବାହରଲାଲ୍ ନେହେରୁ ଏବଂ ସର୍ଦାର୍ ପଟେଲ୍ଙ୍କ ପ୍ରତି ଅପମାନ ପ୍ରଦର୍ଶନ କରିବା ସହ ଭଗତ ସିଂହ ଏବଂ ଚନ୍ଦ୍ରଶେଖର ଆଜାଦ୍ଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମବଳିକୁ ନଗଣ୍ୟ କରିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ମଧ୍ୟ କହିଛନ୍ତି, ଡ୍ରଗ୍ ନିଶା ପ୍ରଭାବରେ ଅଭିନେତ୍ରୀଜଣକ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚାନଯୋଗ୍ୟ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ଭାରତ ବାସ୍ତବ ସ୍ବାଧୀନତା ପାଇଲା ଏବଂ ୧୯୪୭ ମସିହାର ସ୍ବାଧୀନତା ଭିକ୍ଷା ଆକାରରେ ମିଳିଥିଲା ବୋଲି ଅଭିନେତ୍ରୀ ରଣାୱତ୍ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ନେତାମାନେ ଉପରୋକ୍ତ ଦାବି ଉଠାଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0