ପୁରୀ ୧୬।୧୧: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ଐତିହ କରିଡର ଓ ପରିକ୍ରମା ମାର୍ଗର କାର୍ଯ୍ୟ। ବହୁ ପ୍ରତୀକ୍ଷିତ ୩୩୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଆସନ୍ତା ୨୨ ତାରିଖରୁ ୩ ଦିନିଆ ଯଜ୍ଞର ଆୟୋଜନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ଦିନ ଅର୍ଥାତ ୨୪ ତାରିଖରେ ଏହାକୁ ଶୁଭ ଦେବେ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ତରା ଦ୍ବାରା ଐସାନ୍ୟ କୋଣରେ ଯଜ୍ଞ ମଣ୍ଡପ ନିର୍ମାଣ ଚାଲିଛି।
ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ବା ଐତିହ୍ୟ କରିଡରର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ପାଇଁ ଏବେ ସବୁସ୍ତରରରେ ତତ୍ପରତା ପ୍ରକାଶ ପାଇଛି। ତିନିବର୍ଷ ତଳେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଥିବା ବେଳେ ଏବେ ୩୩୦ କୋଟି ଟଙ୍କା ବ୍ୟୟରେ ଏହି କରିଡର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଏହି ନିର୍ମାଣ କାର୍ଯ୍ୟ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୨ ରୁ ୨୫ ତାରିଖ ଯାଏଁ ଶ୍ରୀମନ୍ଦିରର ଐସାନ୍ୟ କୋଣରେ ଏହି ଯଜ୍ଞ ହେବାକୁ ଯାଉଥିବା ବେଳେ ୨୪ ତାରିଖରେ ଯଜ୍ଞ ପୂର୍ଣାହୁତି ହେବ। ଉକ୍ତ ଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ସମ୍ଭାବନା ରହିଛି।
ଐତିହ୍ୟ କରିଡର ପ୍ରକଳ୍ପକୁ ବିଧାନସଭା ଓ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି। ଏହି ପ୍ରକଳ୍ପର ଡିଜାଇନ ମଧ୍ୟ ଚୂଡାନ୍ତ ହୋଇଥିବା ବେଳେ ଟାଟା ପ୍ରୋଜେକ୍ଟସ ଏହି ନିର୍ମାଣ କାର୍ଯ୍ୟ କରିବାକୁ ଟେଣ୍ଡର ନେଇଛି। ପରିକ୍ରମାମାର୍ଗରେ ଭକ୍ତଙ୍କ ପାଇଁ ପ୍ରତୀକ୍ଷାଳୟ, କ୍ଳକ ରୁମ, ଟାଏଲେଟ, ପାନୀୟ ଜଳ ବ୍ୟବସ୍ଥା, ୱାଚ୍ ଟାୱାର, ଧ୍ୟାନ କେନ୍ଦ୍ର ଓ ପରିକ୍ରମା ପାଇଁ ବ୍ୟାଟେରୀ ଗାଡିର ବ୍ୟବସ୍ଥା ହେବ। ଦେଢ଼ବର୍ଷ ସମୟ ସୀମା ମଧ୍ୟରେ ଏହି କାଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଲକ୍ଷ୍ୟ ରଖା ଯାଇଛି।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମୂଖ୍ୟମନ୍ତ୍ରୀ ପ୍ରଥମରୁ ନିଜସ୍ୱ ଉଦ୍ୟମ ଜାରି ରଖିଛନ୍ତି। ଏବେ ଏହାର ଶୁଭ ଦେବା କାର୍ଯ୍ୟରେ ସେ ସାମିଲ ହେବାକୁ ଯାଉଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0