ଭୁବନେଶ୍ୱର:କ୍ରମାଗତ ଭାବେ ସପ୍ତମ ଦିନରେ ମଧ୍ୟ ଅଚଳ ରହିଛି ବିଧାନସଭାର ଶୀତ ଅଧିବେଶନ। ଆଜି ବି ଗୃହକୁ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ହୋହାଲ୍ଲା କରି ଅଚଳ କରିଛନ୍ତି| ଏପଟେ ଆଜି ଦୁଇଟି ପର୍ଯ୍ୟାୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି। ଗୃହରେ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ଘୋଷଣା କରିଛନ୍ତି।
ତେବେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ପ୍ଲାକାର୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଷ୍ଟର ବିଜେପି ପ୍ରଦର୍ଶନ କରିଥିବାବେଳେ ଶାସକ ଦଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୋବିନ୍ଦର ଓକିଲ ମୋହନଲାଲ ଶର୍ମାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲା। ଏପଟେ କଂଗ୍ରେସ ମଧ୍ୟ ପୋଷ୍ଟର ବ୍ୟାନର ଦେଖାଇ ହଙ୍ଗାମା କରିଥିଲା। ପ୍ରଥମେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବାରମ୍ବାର ମୁଲତବୀ ହେବାପରେ ଗୃହକୁ ୧୨ଟା ୩୩ ମିନିଟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0