ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରମ୍ଭା ରେଞ୍ଜ ପିଟିଶାଳ ବିଟ୍ ନବା ଗାଁ’ ନିକଟ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ। ଗୁରୁବାର ଅପରାହ୍ନରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲା। ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଲାଗି ଯାଇଥିଲା।
ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା କଥାହେଲା ତିମି ମାଛଟି ଲାଗିବା ବେଳେ ଜୀବିତ ରହିଥିଲା। ପାଟି ଆଁ କରୁଥିବାବେଳେ ଲାଞ୍ଜ ଛାଟୁଥିଲା। କୂଳରେ ପାଣି କମ୍ ଥିବାରୁ ତିମିଟି ଆଉ ସମୁଦ୍ର ଭିତରକୁ ଯାଇପାରୁନାହିଁ। ଏହାର ଲମ୍ବ ପ୍ରାୟ ୪୦ ଫୁଟରୁ ଅଧିକ ହେବା ସହିତ ଗୋଲେଇ ୨୦ ଫୁଟ ହେବ। ଓଜନ ପ୍ରାୟ ୨୦ ଟନ୍ରୁ ଅଧିକ ହେବ ବୋଲି କୁହାଯାଉଛି। ଖବର ପାଇ ସଂଧ୍ୟାରେ ରମ୍ଭା ରେଞ୍ଜ୍ରୁ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛି। ସଂଧ୍ୟା ୭ଟା ସୁଦ୍ଧା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି। ସଂଧ୍ୟା ସୁଦ୍ଧା ତିମିଟି ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଏନେଇ ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର କହିଛନ୍ତି ତିମି ଲାଗିବା ଖବର ମିଳିଛି। ସେ ନେଇ ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରି ଘଟଣାର ଉପରେ ନଜର ରଖିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0