ନୂଆଦିଲ୍ଲୀ: କାଶୀ ବିଶ୍ବନାଥ କରିଡର୍ ଉଦ୍ଘାଟନ କରିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା କାଳ ଭୈରବ ମନ୍ଦିରକୁ ଯାଇ ଆରତି କରିଛନ୍ତି। ବାରାଣସୀରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଉକ୍ତ ମେଗା ପ୍ରୋଜେକ୍ଟ୍ର ଉଦ୍ଘାଟନ କରିବା ଲାଗି ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। କାଳ ଭୈରବଙ୍କ ଆରତି ପରେ ପ୍ରଧାନମନ୍ତ୍ରୀ ଏବେ ପ୍ରଧାନମନ୍ତ୍ରୀ ମୋଦୀ କରିଡୋର୍ ଉଦ୍ଘାଟନ ପାଇଁ କାଶୀ ବିଶ୍ବନାଥ ଧାମ ଅଭିମୁଖେ ବାହାରିଛନ୍ତି। ସେଠାରେ ସେ ପ୍ରଥମେ ଲଳିତ ଘାଟକୁ ଯାଇ କାଶୀ ବିଶ୍ବନାଥ ମନ୍ଦିରକୁ ଯିବେ। ପ୍ରାୟ ୨୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କରିଡର୍ର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ ଉପଲକ୍ଷେ ବାରାଣସୀରେ ଆଜି ଉତ୍ସବ ବାତାବରଣ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ କହିବା ଅନୁସାରେ, ଏହି କରିଡର୍ ଉଦ୍ଘାଟନ ବାରାଣସୀରେ ଏକ ଅଭୂତପୂର୍ବ ଇତିହାସ ସୃଷ୍ଟି କରିବ। ଆଜି ଟୁଇଟ୍ କରି ସେ ଲେଖିଛନ୍ତି, ଇତିହାସର ୧୦୦୦ ବର୍ଷରେ ଯାହା କରାଯାଇ ପାରି ନ ଥିଲା, ସମ୍ମାନୀୟ ପ୍ରଧାନମନ୍ତ୍ରୀ ତାହା କରିଛନ୍ତି। ମୋକ୍ଷ ପାଇଁ ୪୦୦ ବର୍ଷର ପ୍ରତୀକ୍ଷାକୁ ଚାହିଁ ସେ ହିନ୍ଦୁ ଆତ୍ମସମ୍ମାନର ପୁନଃପ୍ରତିଷ୍ଠା କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖାଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0