ଭୋପାଲ : ଛୋଟ ପିଲା ମାନଙ୍କ ପାଇଁ ଘାତକ ସାଜୁଛି ଅନଲାଇନ ଗେମ୍ । ନିକଟ ରେ ଏହି ଅନଲାଇନ ଗେମ୍ ପାଇଁ ଜଣେ ୧୧ ବର୍ଷିୟ ବାଳକ ଆତ୍ମହତ୍ୟା କରିବାପରେ ମଧ୍ୟପ୍ରଦେଶ ରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟି ରେ ରଖି ଛୋଟ ପିଲା ମାନଙ୍କ ପାଇଁ ଥିବା ଅନଲାଇନ ଗେମ୍ ଗୁଡିକୁ ଆଇନ ପରିସର ଭୁକ୍ତ କରାଯିବ । ଏଥିପାଇଁ ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ ବୋଲି କହିଛନ୍ତି । ଗତ ସପ୍ତାହରେ ଭୋପାଲର ଏହି ୧୧ ବର୍ଷୀୟ ବାଳକ ଜଣଙ୍କ ଅନଲାଇନ ଗେମ୍ ଖେଳି ଅନେକ ଟଙ୍କା ହରାଇଥିଲେ। ଏହାପରେ ସେ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆଇନ ଆଣିବାକୁ ଯାଉଛନ୍ତି।
ଏହି ପ୍ରସ୍ତାବିତ ଆଇନରେ ଅଲଲାଇନ ଗେମିଂ, ଗାମ୍ବେଲିଂ ଓ ବେଟିଂକୁ ଅପରାଧ ଭାବେ ବିବେଚନା କରାଯିବ। ଆଡିକ୍ଟିଭ ଗେମ୍ସ ପ୍ରସ୍ତୁତ କରୁଥିବା ୱେବସାଇଟ ଓ ଆପ୍ଲିକେସନ ଉପରେ ମଧ୍ୟ ରୋକ ଲାଗିବ। ପିଲାମାନଙ୍କୁ କ୍ଷତି ପହଞ୍ଚାଇବା ଭଳି ଗେମ ତିଆରି କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବିତ ଆଇନରେ ଜେଲଦଣ୍ଡର ବ୍ୟବସ୍ଥା ହେବ। ସେହିପରି ସେମାନଙ୍କ ଉପରେ ଜୋରିମାନା ମଧ୍ୟ ଲଗାଯିବ।
ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ଡ. ନରତ୍ତୋମ ମିଶ୍ରା କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅନଲାଇନ ଗେମିଂ ପାଇଁ ଅନେକ ପିଲା ଆତ୍ମହତ୍ୟା କରୁଛନ୍ତି। ଏହାକୁ ରୋକିବା ପାଇଁ ଆମେ ଖୁବଶୀଘ୍ର ଆଇନ ଆଣିବୁ। ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ସାରିଛି ଓ ଖୁବଶୀଘ୍ର ଏହା ଚୂଡ଼ାନ୍ତ ରୂପରେ ସାମ୍ନାକୁ ଆସିବ।”
ଭୋପାଲର ଶଙ୍କରାଚାର୍ୟ୍ୟ କଲୋନୀରେ ରହୁଥିବା ୧୧ ବର୍ଷୀୟ ସୂର୍ୟ୍ୟକାନ୍ତ ଓଝା ଅନଲାଇନରେ ଗେମ ଖେଳି ୬ ହଜାର ଟଙ୍କା ହରାଇଥିଲେ। ଏକଥା ତାଙ୍କ ବାପା ମା’ ଆଦୌ ଜାଣି ପାରି ନଥିଲେ। ତେବେ ଟଙ୍କା ହାରି ଯାଇଥିବାରୁ ସୂର୍ୟ୍ୟକାନ୍ତ ଭୟରେ ଆତ୍ମହତ୍ୟା କରି ଦେଇଥିଲେ।
ଏହି ଘଟଣା ପରେ ଅନେକ ଲୋକ ଅନଲାଇନ ଗେମିଂକୁ ଆଇନ ପରିସର ଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ବିଶେଷ କରି ମହାମାରୀ କରୋନା ଯୋଗୁ ଛୋଟ ପିଲାମାନେ ମୋବାଇଲର ବ୍ୟବହାର କରୁଛନ୍ତି। ଏହି ସମୟରେ ସେମାନେ ଅନଲାଇନ ଗେମ୍ ପଞ୍ଝାରେ ପଡ଼ୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଗେମ୍ଗୁଡ଼ିକ ଆଇନ ପରିସର ଭୁକ୍ତ ହେବା ଦାରକାର ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0