ନୂଆଦିଲ୍ଲୀ: ୭ ଦିନ ବ୍ୟାପୀ ଅନୁଷ୍ଠିତ ମହାଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ବ୍ରୁନେଇର ସୁଲତାନଙ୍କ ଜେମା ଫଦ
ଜିଲ୍ଲା ଲୁବାବୁଲ ବିବାହ କରିଛନ୍ତି। ସୁଲତାନଙ୍କ ଆର୍ଶୀବାଦ ସହ ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିବା ବାହାଘରର ଧାର୍ମିକ ରୀତିନୀତି ଗୁରୁବାର ଦିନ ‘ଓମାର ଅଲି ସୈଫୁଦିନ୍ ମସଜିଦ’ରେ ୧୭ଟି ତୋପ ସଲାମୀ ସହ ସମ୍ପାଦିତ ହୋଇଥିଲା।
ସୁଲତାନଙ୍କ ସରକାରୀ ବାସଭବନ ‘ଇସ୍ତାନ ନୁରୁଲ ଇମାନ’ରେ ବାହାଘର ଅନୁଷ୍ଠିତ ହୋଇଥିଲା। ଏହା ହେଉଛି ବିଶ୍ବର ଅନ୍ୟତମ ବୃହଦକାୟ ରାଜପ୍ରାସାଦ, ଯେଉଁଥିରେ ୧୭୦୦ କୋଠରି ଏବଂ ୫୦୦୦ ଲୋକ ଧରିବା ଭଳି ଭୋଜିସଭା ଗୃହଟିଏ ରହିଛି। ରବିବାର ଦିନ ରାଜପ୍ରାସାଦରେ ‘ଇସ୍ତିଦାତ ବେର୍ସାନ୍ଦିଙ୍ଗ ପେଙ୍ଗାଣ୍ଟିନ ଦିରାଜ’ ଉତ୍ସବରେ ଭୋଜି ଆୟୋଜନ କରାଯାଇ ଏହି ବିବାହ ନିମନ୍ତେ ଆପ୍ୟାୟନ ଉତ୍ସବ କରାଯାଇଥିଲା।
ରାଜଜେମାଙ୍କ ନୂଆ ସ୍ବାମୀଙ୍କ ସମ୍ପର୍କରେ କାହାକୁ ବିଶେଷ କିଛି ଜଣାନାହିଁ। ତାଙ୍କ ସ୍ବାମୀ ଅୱଙ୍ଗ୍ ଅବ୍ଦୁଲ୍ଲା ନବିଲ ମହମଦ ଅଲ-ହାଶିମିଙ୍କୁ ଆଞ୍ଚଳିକ ଗଣମାଧ୍ୟମ ‘ହ୍ୟାଣ୍ଡ୍ସମ ଫରେନର’ ବୋଲି ଲେଖିଛନ୍ତି। ସେ ଜଣେ ଇରାକୀ ଏବଂ ସମ୍ପ୍ରତି କାନଡାରେ ବାସ କରୁଛନ୍ତି ବୋଲି ଶୁଣାଯାଉଛି।
ବାହାଘରରେ ପିନ୍ଧିବା ପାଇଁ ରାଜଜେମା ଫଦଜିଲ୍ଲା ଲୁବାବୁଲ ତାଙ୍କର ସାବତ ମାଆ ଅର୍ଥାତ ସୁଲତାନଙ୍କ ପ୍ରଥମ ପତ୍ନୀଙ୍କ (ବ୍ରୁନେଇର ରାଣୀ) ଠାରୁ ହୀରା ମୁକୁଟ ଏବଂ ମୋତି-ହୀରା ଗଳାହାର ସମେତ ବହୁ ମୂଲ୍ୟବାନ ଅଳଙ୍କାର ଉଧାର ଆଣିଥିଲେ। ଏହି ମୁକୁଟରେ ବଡ଼ ମୋତି ଆକୃତିର ହୀରାଖଣ୍ଡମାନ ଖଚିତ ହୋଇଛି । ତାଙ୍କ ବାହଘର ପୋଷାକ ପ୍ରସ୍ତୁତ କରିଥିଲେ ମାଲେସୀୟ ଡିଜାଇନର ବର୍ଣ୍ଣାଡ ଚନ୍ଦ୍ରନ।
ଜୀବାଶ୍ମ ତୈଳ ସମୃଦ୍ଧ ବ୍ରୁନେଇର ମୁଖ୍ୟ ସୁଲତାନ ହସନାଲ ବୋଲକିଆ ହେଉଛନ୍ତି ବିଶ୍ବର ଅନ୍ୟତମ ଧନଶାଳୀ ରାଜବଂଶଜ। ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦ ବିଲିୟନ୍ ଡଲାରରୁ ଅଧିକ ହେବ।
‘କିଙ୍ଗଷ୍ଟନ ୟୁନିଭର୍ସିଟି’ରୁ ସ୍ନାତକ ହାସଲ କରିଥିବା ‘ସ୍ପୋର୍ଟି ପ୍ରିନ୍ସେସ’ ଭାବେ ସୁପରିଚିତ ୩୬ ବର୍ଷୀୟ ରାଜଜେମା ଫଦଜିଲ୍ଲା ହେଉଛନ୍ତି ସୁଲତାନଙ୍କ ୧୨ଜଣ ସନ୍ତାନଙ୍କ ମଧ୍ୟରେ ୯ମ। ସେ ହେଉଛନ୍ତି ସୁଲତାନଙ୍କ ଦ୍ବିତୀୟ ପତ୍ନୀଙ୍କ ଝିଅ। ଦ୍ବିତୀୟ ପତ୍ନୀ ହାଜା ମରିୟମଙ୍କୁ ୨୦୦୩ରେ ସୁଲତାନ ଛାଡ଼ପତ୍ର ଦେଇଥିଲେ। ଫଦଜିଲ୍ଲାଙ୍କୁ ମିଶାଇ ସୁଲତାନଙ୍କ ଔରସରୁ ତାଙ୍କର ୪ଟି ସନ୍ତାନ ଅଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0