ବେଙ୍ଗାଲୁରୁ: ହଟିବାକୁ ଯାଉଛି ନାଇଟ କର୍ଫ୍ୟୁ ।ମହାମାରୀ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର। ଆସନ୍ତା ଜାନୁଆରୀ ୩୧ରୁ ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ଲାଗୁ ହେବନି। ପୂର୍ବରୁ କର୍ଣ୍ଣାଟକା ସରକାର ସଂକ୍ରମଣ ରୋକିବାକୁ ଜାରି କରିଥିବା ୱିକେଣ୍ଡ କର୍ଫ୍ୟୁକୁ ପ୍ରତ୍ୟାହାର କରିଥିଲେ। ଏବେ ସଂକ୍ରମଣ ୩୦ ହଜାର ଉପରେ ରହିଛି। ହେଲେ ଅଧିକାଂଶ ଆକ୍ରାନ୍ତ ଘରେ ରହି ସୁସ୍ଥ ହୋଇଯାଉଛନ୍ତି। ସେହିପରି ହସ୍ପିଟାଲରେ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବଢ଼ୁଛି। ଏହି କାରଣରୁ କର୍ଣ୍ଣାଟକା ସରକାର କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋମବାର ଠାରୁ ବେଙ୍ଗାଲୁରୁରେ ଥିବା ସମସ୍ତ ସ୍କୁଲ ଓ କଲେଜଗୁଡ଼ିକ ଅଫଲାଇନ କ୍ଲାସ ପାଇଁ ଖୋଲିବ। ତେବେ ଏଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ପିଲାମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକମାନେ ମାସ୍କ ପରିଧାନ କରିବେ। ସେହିପରି ସାମାଜିକ ଦୂରତା ନିୟମକୁ ମଧ୍ୟ କ୍ଲାସରୁମରେ ଲାଗୁ କରାଯିବ। ଏହାବାଦ ସିନେମା ହଲ, ଅଡିଟୋରିୟମ, ଥିଏଟର ଓ ମଲ୍ଟପ୍ଲେକ୍ସ ଗୁଡ଼ିକ ୫୦% କ୍ଷମତାରେ ଚାଲିବ। ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ଗୁଡ଼ିକ ୧୦୦% କ୍ଷମତାରେ ସୋମବାର ଠାରୁ ସେବା ଯୋଗାଇବା ଆରମ୍ଭ କରିବେ। ଏଠାରେ କରୋନା କଟକଣା ପାଳନ କରିବା ଦାୟିତ୍ୱ ସରକାର ମାଲିକମାନଙ୍କ ଉପରେ ଛାଡ଼ିଛନ୍ତି।
ମେଟ୍ରୋ ଓ ଅନ୍ୟ ପରିବହନ ସେବାଗୁଡ଼ିକ ସେମାନଙ୍କ ସିଟିଂ କ୍ଷମତା ଅନୁଯାୟୀ କାର୍ୟ୍ୟକ୍ଷମ କରିବେ। ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ସୁଇମିଂ ପୁଲ ଗୁଡ଼ିକ ମଧ୍ୟ ୫୦% ଲୋକଙ୍କୁ ନେଇ ଚାଲିବ ବୋଲି ସରକାର କହିଛନ୍ତି। ତେବେ ମହାରାଷ୍ଟ୍ର, ଗୋଆ ଓ କେରଳରୁ କର୍ଣ୍ଣାଟକା ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ୩ ରାଜ୍ୟରୁ ଆସୁଥିବା ଲୋକମାନେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ ମଧ୍ୟ ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ ରିପୋର୍ଟ ଦେଖାଇବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0