ଅମୃତସର: ଚର୍ଚ୍ଚାରେ ଥିବା ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି କରୋନା କଟକଣା ମଧ୍ୟରେ ସେ ରାଲିରେ ଯାଇ ଅମୃତସର ଇଷ୍ଟ ଆସନରୁ ନାମାଙ୍କନ ଭରିଛନ୍ତି। ଏହି ଆସନରେ ତାଙ୍କର ସିଧାସଳଖ ମୁକାବିଲା ଅକାଳୀ ଦଳର ବିକ୍ରମ ମାଜିଥିଆଙ୍କ ସହ ହେବ। ବିକ୍ରମ ମାଜିଥିଆ ଡ୍ରଗ୍ସ କାରବାର ମାମଲାରେ ଫସିଥିବା ସିଦ୍ଧୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଖାସ୍ ଏହି କାରଣ ପାଇଁ ଅକାଳୀ ମାଜିଥିଆଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତେଣୁ ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ସମସ୍ତେ ଆଶା କରିଛନ୍ତି।
ଆଜି ସିଦ୍ଧୁ ନାମାଙ୍କନ ଭରିବା ପରେ ବିଜୟ ନେଇ ଦମ୍ଭର ସହ କରିଛନ୍ତି, “ମୁଁ ଉତ୍ତେଜିତ ହୋଇପାରେ, କିନ୍ତୁ ମୁଁ କେବେ ହେଲେ ହାରିବି ନାହିଁ। ଦୀର୍ଘ ୧୭ ବର୍ଷର ରାଜନୀତିକ କ୍ୟାରିୟର ମଧ୍ୟରେ ମୁଁ କିଛି ବି ଭୁଲ କରିନି। ସବୁବେଳେ ସତ୍ୟର ସାଥ ଦେଇଛି। ଯାହା ଠିକ୍ ମୁଁ ସବୁବେଳେ ସେଇଆ କହିଛି। ବେଳେବେଳେ ମୋ ବୟାନ ଅନ୍ୟକୁ ଅଡ଼ୁଆରେ ପକାଏ, ହେଲେ ମୁଁ ସବୁବେଳେ ଲୋକଙ୍କ କଥା ଚିନ୍ତା କରେ। ଅକାଳୀନ ଦଳର ଲୋକମାନେ ଡ୍ରଗ୍ସ ବିକ୍ରି କରୁଛନ୍ତି। ଏପରି ସ୍ଥିତିରେ ସେମାନଙ୍କୁ କିଏ ଭୋଟ ଦେବ? ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାଇଁ ଭୋଟ କରିବ।”
୨୦୧୭ ବିଧାନସଭା ନିର୍ବାଚନରେ ସିଦ୍ଧୁ ଏହି ଆସନରୁ ବେଶ ସହଜରେ ଜିତି ଥିଲେ। କାରଣ ଏହି ସମୟରେ ତାଙ୍କ ବିରୋଧରେ କୌଣସି ବଡ଼ ଚେହେରା ପ୍ରାର୍ଥୀ ହୋଇ ନଥିଲେ। ହେଲେ ଏବେ ପୂର୍ବତନ ମନ୍ତ୍ରୀ ବିକ୍ରମ ମାଜିଥିଆ ଛିଡ଼ା ହୋଇଛନ୍ତି। ବିକ୍ରମ ୨୦୧୨ ଓ ୨୦୧୭ରେ ମାଜିଥିଆ ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ମାଜିଥିଆ ହେଉଛି ବିକ୍ରମଙ୍କ ଗଡ଼। ତଥାପି ସେ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ମାଜିଥିଆ ଓ ଅମୃତସର ଇଷ୍ଟରୁ ଲଢ଼ିବେ। ଡିସେମ୍ବର ମାସରେ ବିକ୍ରମ ମାଜିଥିଆଙ୍କ ବିରୋଧରେ ଡ୍ରଗ୍ସ କେସ୍ ରୁଜୁ ହୋଇଥିଲା। ତେବେ ସେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଏସ୍ଆଇଟି କରୁଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0