ଭୁବନେଶ୍ବର : ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏହାର ପ୍ରଭାବ ମୁଖ୍ୟତଃ କୃଷିକ୍ଷେତ୍ରରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଶୀତ କମିବା ଆରମ୍ଭ ହୋଇଛି। ଆସନ୍ତା ୩ ଦିନରେ ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଅନୁମାନ କରାଯାଉଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୩ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। ଏଥିସହ କିଛି କିଛି ସ୍ଥାନରେ କୁଆପଥର ମଧ୍ୟ ମାଡ଼ ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥ ବର୍ଷା ସମ୍ଭାବନା ରହିଛି। ଏଣୁ ୩ ଓ ୪ ତାରିଖ ପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଏଣୁ ଅମଳ ଉପଯୋଗୀ ହରଡ଼, ବନ୍ଧା କୋବି, ଫୁଲକୋବି ଓ ଅନ୍ୟାନ୍ୟ ପନିପରିବାକୁ ୩ ତାରିଖ ପୂର୍ବରୁ ଅମଳ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଶୀତଦିନିଆ ଡାଲିଜାତୀୟ ବିହନ (ମୁଗ, ବିରି ଆଦି) ଓ ତୈଳବୀଜ ବିହନ ବୁଣାବୁଣି ଏକ ସପ୍ତାହ ସ୍ଥଗିତ ରଖିବାକୁ କୁହାଯାଇଛି। କୁଆପଥର ମାଡ଼ରୁ ରକ୍ଷା କରିବା ପାଇଁ ବର୍ତ୍ତମାନ ପନିପରିବା ତଳି ଯଥା ଟମାଟୋ, ଲଙ୍କା, ପିଆଜ ଓ କୋବି ଆଦିକୁ ପଲିଥିନ, ଜାଲି କିମ୍ବା ପ୍ଲାଷ୍ଟିକ ଦ୍ବାରା ଆଚ୍ଛାଦନ କରି ରଖନ୍ତୁ। ଏଥିସହ ଏବେଠାରୁ ସାମୟିକ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ୫ରୁ ବର୍ଷାର ପରିମାଣ କମିଯିବ ଓ ଶୀତ ପୁଣି ଆରମ୍ଭ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0