ନୂଆଦିଲ୍ଲୀ: ପ୍ରଥମଥର ପାଇଁ ନ୍ୟାଶନାଲ ଟେଲି ମେଣ୍ଟାଲ ହେଲ୍ଥ କାର୍ୟ୍ୟକ୍ରମ ଦେଶରେ ଆରମ୍ଭ ହେବ। ମହାମାରୀ କରୋନା ଲୋକଙ୍କ ମାନସିକ ସନ୍ତୁଳନ ଉପରେ ପ୍ରଭାବ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ଏପରି ଏକ କାର୍ୟ୍ୟକ୍ରମ ଆରମ୍ଭ କରି ଲୋକଙ୍କୁ କାଉନସେଲିଂ କରିବେ। ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହି ମେଣ୍ଟାଲ ହେଲ୍ଥ କାର୍ୟ୍ୟକ୍ରମରେ ସମସ୍ତ ପ୍ରକାରର ବୈଷୟିକ ସହାୟତା ବେଙ୍ଗାଲୁରୁ ଆଇଆଇଟି ଯୋଗାଇ ଦେବ।
ମହାମାରୀ କରୋନା ସବୁ ବୟସ ବର୍ଗର ଲୋକଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଛି। ଉନ୍ନତ ମାନସିକ ସ୍ୱାସ୍ଥ୍ୟ କାଉନସେଲିଂ ଯୋଗାଇ ଦେବା ପାଇଁ ନ୍ୟାଶନାଲ ଟେଲି ମେଣ୍ଟାଲ ହେଲ୍ଥ କାର୍ୟ୍ୟକ୍ରମ ଆରମ୍ଭ ହେବ। ୨୩ଟି ମେଣ୍ଟାଲ ହେଲ୍ଥ ସେଣ୍ଟର ଅଫ ଏକ୍ସିଲେନ୍ସି ଦ୍ୱାରା ଏହି ନେଟୱର୍କ ଚାଲିବ। ନିମହାନ୍ସ ଏହାର ନୋଡାଲ ସେଣ୍ଟର ଭାବେ କାମ କରିବ। ସେହିପରି ବେଙ୍ଗାଲୁରୁ ଆଇଆଇଟି ଏଥିପାଇଁ ବୈଷୟିକ ସହାୟତା ଦେବ ବୋଲି ନର୍ମଳା ସୀତାରମଣ କହିଛନ୍ତି।
ଏହି କାର୍ୟ୍ୟକ୍ରମ ଜରିଆରେ ନ୍ୟାଶନାଲ ଡିଜିଟାଲ ହେଲ୍ଥ ଇକୋସିଷ୍ଟମ ପାଇଁ ଗୋଟିଏ ଖୋଲା ପ୍ଲାଟଫର୍ମକୁ ଆରମ୍ଭ କରାଯିବ। ଏଥିରେ ଡିଜିଟାଲ ଉପାୟରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଡାକ୍ତର ଓ ପ୍ରତିଷ୍ଠାନର ପଞ୍ଜୀକରଣ ହେବ। ସେହିପରି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚୟପତ୍ର ଓ ସାମୂହିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ବ୍ୟବସ୍ଥା ହେବ। ସରକାର ସବୁବେଳେ ଯୁବକ, ମହିଳା ଓ ଗରିବ ଲୋକଙ୍କ ସଶକ୍ତୀକରଣ ପାଇଁ କାର୍ୟ୍ୟ କରୁଥିବା ସେ ଗୃହରେ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0