ରାୟଗଡ଼ା: ରାୟଗଡ଼ାର ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ୨୦୧୬ ଏପ୍ରିଲ ୨୬ରେ ନେତ୍ରାନନ୍ଦ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟ ଜେଲରେ ଆଜୀବନ ସଜା କାଟୁଥିଲେ । ଗତ ୨ ଦିନ ଧରି ସେ ଅସୁସ୍ଥ ଅନୁଭବ କରୁଥିଲେ । ଗତକାଲି ରାତିରେ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି।
୨୦୧୩ ଅକ୍ଟୋବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ସ୍କୁଲରେ ଠିକା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନି ଢ଼ାଳି ପୋଡ଼ିଦିଆଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି , ରାୟଗଡ଼ା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ୨୦୧୩ ନଭେମ୍ବର ୧ ତାରିଖରେ ଇତିଶୀଙ୍କର ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ଇତିଶ୍ରୀ ସେହି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ସରକାର ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୧୬ ଏପ୍ରିଲରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ସେବେଠାରୁ ସେ ଜେଲରେ ଆଜୀବନ ସଜା କାଟୁଥିଲେ । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0