ପୁରୀ: ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି। ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି ସମାପିତ ହୋଇଛି।

ଏହାପରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇଥାନ୍ତି। ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରଙ୍କୁ ବିଜେ କରି ରଥଟଣା ଆରମ୍ଭ ହୋଇଥାଏ।
ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡ଼ାନ୍ତ ହୋଇଛି। ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଆସିଲେ ଚୂଡ଼ାନ୍ତ ନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେବ। ନଚେତ୍ ସମସ୍ତ ନୀତି ବନ୍ଦ କରି ଦିଆଯିବ ବୋଲି ଜଣାପଡ଼ିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ବନକଲାଗି ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ବାହାରିବେ। ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ, ତଡ଼ପଲାଗି, ସାଢ଼େ ୬ଟାରେ ଅବକାଶ, ୭ଟା ୧୫ରେ ସୂର୍ୟ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ। ସକାଳ ୮ଟାରୁ ୯ଟା ପର୍ୟ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରେ ତିନିରଥକୁ ଆଜ୍ଞାମାଳ ବିଜେ କରିବ। ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0