ଭୁବନେଶ୍ୱର: ଏଣିକି କୁଣ୍ଡରେ ହେବ ମାଛ ଚାଷ । କମ୍ ଜମି କିମ୍ବା ଛାତ ଉପରେ ବି ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ କରାଯାଇପାରିବ । କମ୍ ଜମି ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ଉପାୟରେ ମାଛ ଚାଷ କରିବାକୁ ସୁବିଧା ମିଳିବ । ଏଥିପାଇଁ ସରକାର ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ । ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏ ନେଇ ନୂତନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ରଜ୍ୟରେ ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବକ, ଯୁବତୀ, ଓ ଅଗ୍ରଣୀ ମତ୍ସ୍ୟଚାଷୀଙ୍କୁ ଜୀବିକା ସହାୟତା ମିଳିପାରିବ । ଖାଲିସେତିକି ନୁହେଁ , ମତ୍ସ୍ୟ ଉତ୍ପାଦନକ୍ଷେତ୍ରରେ ମଧ୍ୟ ଓଡିଶା ସମ୍ବଲମ୍ବୀ ହେଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଅଧିକ ଜମି ଓ ଜଳ ସମ୍ପଦ ଉପଯୋଗ ନ କରି ସୀମିତ ସ୍ଥାନରେ ମାଛ ଓ ଚିଙ୍ଗୁଡି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାୟୋଫ୍ଲକ୍ ଏକ ନୂତନ ଜ୍ଞାନ କୌଶଳ ବିକାଶ ହୋଇଛି । ଏଥିରେ ମାତ୍ର ୧୫୦ରୁ ୨୦୦ ବର୍ଗମିଟର ପରିମିତ ଜମିରେ ମାଛ ଚାଷ କରାଯାଇପାରିବ । ସହାରାଞ୍ଚଳରେ ପାଇପ୍ ଜଳ କିମ୍ବା ନଳକୂପ ଜଳକୁ ଉପଯୋଗ କରି ଜଣେ ଚାଷୀ ସ୍ୱଳ୍ପ ଖର୍ଚ୍ଚରେ ମାଛ ଉତ୍ପାଦନ କରିପାରିବ । ଏହି ପଦ୍ଧତିରେ ବଜାରରେ ଚାହିଦା ଥିବା ମଧୁରଜଳ ମାଛ ଯେପରିକି ଗିଫଟ୍, ଟିଲାପିଆ, ମାଗୁର, ଜଳଙ୍ଗ, କଉ, ବିଲାତି , ରୋହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ ଅଟେ । ବାୟୋଫ୍ଲକ୍ କୁଣ୍ଡରେ ବର୍ଜ୍ୟ ଜୈବ ପଦାର୍ଥ ଓ ଅବ୍ୟବହୃତ ଖାଦ୍ୟକୁ ପ୍ରୋବାୟୋଟିକ୍ ଏବଂ ତରଳ ଗୁଡ ଭଳି ଅଙ୍ଗାରକ ଉତ୍ସର ମିଶ୍ରଣ ଦ୍ୱାରା ମାଛର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ବାୟୋଫ୍ଲକ କୁଣ୍ଡ ସ୍ଥାପନ ନିମନ୍ତେ ସରକାରଙ୍କ ସବସିଡି ବ୍ୟବସ୍ଥା ରହିଛି । ମାଛଗୁଡିକ ପ୍ରତି ତିନିମାସରେ ୨୦୦ଗ୍ରାମ ଓଜନ ପର୍ଯ୍ୟନ୍ତ ବଢିବେ । ଏହି ପଦ୍ଧତିରେ ମାଛ ଚାଷ ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ କରାଯାଇପାରିବ । ଉଚ୍ଚସ୍ଥାନ, ଘର ଛାତ, ଓ ପଛ ପଟେ ଥିବା ଖୋଲା ସ୍ଥାନରେ ଏହି କୁଣ୍ଡ ରଖାଯାଇପାରିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0