ଭୁବନେଶ୍ୱର : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ନେଇ ରାଜ୍ୟ ସରକାର ଆଜି ଦର ଧାର୍ୟ୍ୟ କରିଛନ୍ତି। ସାଧାରଣ ଶଯ୍ୟା ପାଇଁ ଦୈନିକ ୨,୯୫୦ରୁ ୪,୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି। ଏହି ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। ପୂର୍ବରୁ ରାଜ୍ୟ ସରକାର ସରକାରୀ କୋଭିଡ୍ ହସ୍ପିଟାଲ ପାଇଁ ଦରଧାର୍ୟ୍ୟ କରିଥିଲେ। ସାଧାରଣ ଶଯ୍ୟା ପାଇଁ ଏନ୍ଏବିଏଚ୍ ଅଣ-ସ୍ବୀକୃତିପ୍ରାପ୍ତ ହସ୍ପିଟାଲରେ ୧୨ଶହ ଟଙ୍କା ଥିବା ବେଳେ ଏନ୍ଏବିଏଚ୍ ପାଇଁ ୩ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି। ମାତ୍ର ଉଭୟ ହସ୍ପିଟାଲ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ଦୈନିକ ୧,୭୫୦ଟଙ୍କା ସ୍ଥିର ହୋଇଛି। ଅନ୍ୟାନ୍ୟ ଖର୍ଚ୍ଚ ଭିତରେ ଲଣ୍ଡ୍ରି, ସାନିଟାଇଜର୍, ଖାଦ୍ୟ, ଔଷଧ, ପିପିଇ, ନମୁନା ପରୀକ୍ଷା ଭଳି ଦର ସାମିଲ ରହିଛି। ସେହିପରି ଆଇସିୟୁ ଦର ଅଣ-ଏନ୍ଏବିଏଚ୍ ପାଇଁ ଶଯ୍ୟା ୨ହଜାର ଓ ଏନ୍ଏବିଏଚ୍ ପାଇଁ ୫ ହଜାର ଧାର୍ୟ୍ୟ ଥିବା ବେଳେ ଅଣ ଏନ୍ଏବିଏଚ୍ ପାଇଁ ଅନ୍ୟାନ୍ୟ ଖର୍ଚ ୮ହଜାର ଓ ଏନ୍ଏବିଏଚ୍ ପାଇଁ ୧୨ହଜାର ଟଙ୍କା ସ୍ଥିର ହୋଇଛି। ଏହାସହ ଆଇସିୟୁ ସହ ଭେଣ୍ଟିଲେଟର୍ ଦର ଅଣ-ଏନ୍ଏବିଏଚ୍ ଓ ଏନ୍ଏବିଏଚ୍ ପାଇଁ ୨ରୁ ୫ ହଜାର ରହିଥିବାବେଳେ ଅନ୍ୟାନ୍ୟ ଖର୍ଚ ଅଣ-ଏନ୍ଏବିଏଚ୍ ପାଇଁ ୧୦ହଜାର ଓ ଏନ୍ଏବିଏଚ୍ ପାଇଁ ୧୩ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି। ଅପରପକ୍ଷରେ ସଂକ୍ରମଣ ଚିକିତ୍ସା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼େ, ତାହାଲେ ସଂପୃକ୍ତ ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍କେୱାଇରୁ ଚିକିତ୍ସା କରାଯିବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0