ଭୁବନେଶ୍ୱର : ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ୟୁଜି, ପିଜି, ଡିପ୍ଲୋମା ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ ରହିଛି। ଏଥିସହ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଏବେ ସୁଦ୍ଧା ଯୁକ୍ତ୨ କଳା ବିଭାଗର ପରୀକ୍ଷା ଫଳ ବାହାରି ନ ଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ, ଅଭିଭାବକମାନେ ଅଭିଯୋଗ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି।ମନ୍ତ୍ରୀ ଶ୍ରୀ ଦାଶ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆବେଦନ ଓ ମାର୍କ ସିଟ୍ ଦାଖଲ ସମୟ ସୀମାକୁ ଅଗଷ୍ଟ ୩୧ ଯାଏ ରଖାଯାଇଛି। ତେବେ କରୋନା ଯୋଗୁଁ ଏପର୍ୟ୍ୟନ୍ତ ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇପାରି ନାହିଁ। ଯଦି ଆବେଦନ ସମୟ ସୀମା ଅଗଷ୍ଟ ୩୧ ରଖାଯାଏ ତେବେ ଓଡ଼ିଶାର ବହୁ ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହେବେ। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଅଗଷ୍ଟ ୩୧ ସୁଦ୍ଧା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାର୍କସିଟ ଦାଖଲ କରିପାରିବେ ନାହିଁ। ଯଦି ଆବେଦନ ସମୟ ବୃଦ୍ଧି କରା ନ ଯିବ ତେବେ ବହୁ ମେଧାବୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ। ଏଭଳି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ମାର୍କ ସିଟ ଦାଖଲ ସମୟ ସୀମାକୁ ସେପ୍ଟେମ୍ବର ୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଉ। ଫଳରେ ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0