ଭୁବନେଶ୍ୱର : ଘରୋଇ ହସ୍ପିଟାଲମାନଙ୍କର ବିଲିଂକୁ ନେଇ ବିବାଦ ଉପୁଜିବାପରେ ସରକାର ଚିକିତ୍ସା ଖର୍ଚ୍ଚର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଯେଉଁଥିରେ ସରକାର ଆଇସୋଲେସନ ବେଡ ବାବଦ ଦେୟ ସମେତ ଭେଣ୍ଟିଲେଟର ସହିତ ଓ ଭେଣ୍ଟିଲେଟର ବିନା ଆଇସିୟୁ ବେଡର ଦର ମଧ୍ୟ ନିର୍ଦ୍ଧାରିତ ହୋଇଛି। ଯେଉଁଥିରେ ଚିକିତ୍ସା ବାବଦ ଖର୍ଚ୍ଚ ସମେତ ପିପିଇ କିଟ୍ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ।
ରାଜ୍ୟର ବେସରକାରୀ ତଥା କର୍ପୋରେଟ ହସ୍ପିଟାଲମାନଙ୍କୁ କୋଭିଡ-୧୯ ରୋଗୀଙ୍କୁ ସ୍ୱୀକାର କରିବା ଲାଗି ଅନୁମତି ଦେବା ପରେ ଏବେ ଚିକିତ୍ସା ବାବଦ ସର୍ବାଧିକ ଖର୍ଚ୍ଚ ନିର୍ଦ୍ଧାରଣ କରିଛନ୍ତି। ଏଥିରେ ଘରୋଇ ଓ କର୍ପୋରେଟ ହସ୍ପିଟାଲମାନେ ଆଇସୋଲେସନ ବେଡ ବାବଦେ ରୋଗୀଙ୍କ ଠାରୁ ଦୈନିକ ସର୍ବାଧିକ ୪ହଜାର ୭୫୦ ଟଙ୍କାରୁ ଅଧିକ ଆଦାୟ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ନିର୍ଦ୍ଦେଶରେ ସରକାର ଆଇସିୟୁ ବେଡ୍ ଲାଗି ୧୭ ହଜାର ଓ ଚିକିତ୍ସା ବେଳେ ଭେଣ୍ଟିଲେଟର ଆବଶ୍ୟକ ପଡିଲେ ଦୈନିକ ଏବାବଦେ ୧୮ ହଜାର ଟଙ୍କାରୁ ଅଧିକ ଆଦାୟ କରିପାରିବେ ନାହିଁ ବୋଲି କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ପରେ ସରକାରୀ ହସ୍ପିଟାଲଗୁଡିକୁ ସାଧାରଣ ରୋଗୀଙ୍କ ଚିକିତ୍ସା ନିମନ୍ତେ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ହୋଇଥିଲା। ଏଣୁ ସରକାର ଡେଡିକେଟେଡ କୋଭିଡ ହସ୍ପିଟାଲ (ଡିସିଏଚ୍)ଓ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର(ଡିସିଏଚସି ) ଙ୍କ ଦ୍ୱାରା ରାଜ୍ୟରେ କୋଭିଡ ଚିକିତ୍ସା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଡିସିଏଚ୍ ଓ ଡିସିଏଚସିଙ୍କ ସହ କୋଭିଡ ଚିକିତ୍ସା ବାବଦେ ହେଉଥିବା ଖର୍ଚ୍ଚ ସରକାର ମଧ୍ୟ ବହନ କରୁଛନ୍ତି।
ଏହି ନିଷ୍ପତ୍ତି ଅନୁସାରେ ରୋଗଙ୍କ ଜଟିଳତା ଏବଂ ଚିକିତ୍ସା ଉପକରଣର ବ୍ୟବହାରକୁ ଦେଖି ସରକାର ଦୈନିକ ପ୍ରତି ରୋଗୀ ୨ହଜାର ୯୫୦ରୁ ୧୮ ହଜାର ଟଙ୍କା ପର୍ୟ୍ୟନ୍ତ ଡିସିଏଚ୍ ଓ ଡିସିଏଚସିଙ୍କୁ ଫେରସ୍ତ କରିବାର ବ୍ୟବସ୍ଥା କରିଛନ୍ତି। ଏଣୁ କୋଭିଡ କେୟାର ସେଣ୍ଟର (ସିସିସି)ରେ କୌଣସି ଲକ୍ଷଣ ନଥିବା ଅଥବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଠାରୁ ଦୈନିକ ୨ ହଜାର ଟଙ୍କାରୁ ଅଧିକ ଆଦାୟ କରିପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0