ଭୁବନେଶ୍ୱର : ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇସାରିଲେଣି ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ। ହୀରାକୁଦର ଗେଟ୍କୁ ଚାପି ଧରି ସରକାର ବନ୍ୟାକୁ କାବୁ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ନଦୀରେ ଜଳସ୍ତର ଗତକାଲି ଠାରୁ ବିଶେଷ ବଢିନାହିଁ, କମିନି ମଧ୍ୟ। ଆଜି ମୁଣ୍ଡୁଳି ଦେଇ ୧୦ଲକ୍ଷ ୨୬ ହଜାର ୨୧୮ ଘନଫୁଟ ପାଣି ସେକେଣ୍ଡ ପ୍ରତି ପ୍ରବାହିତ ହେଉଛି। ସେପଟେ ବନ୍ୟା ଗର୍ଭରେ ଥିବା ହଜାର ହଜାର ଜଳବସତିରେ ପାଣି ଗମ୍ଭୀର ସ୍ଥିତିରେ ରହିଛି। କେତେକ ନିର୍ଦିଷ୍ଟ ଅଞ୍ଚଳକୁ ଛାଡ଼ି ଦେଲେ ବନ୍ୟାଞ୍ଚଳରେ ବଢ଼ିଛି ପାଣି। ଆଗକୁ ପୂର୍ଣ୍ଣିମା କାରଣରୁ ସମୁଦ୍ର ଏବେ ଧୀରେ ଧୀରେ ପାଣି ଟାଣିବା କମାଇସାରିଲେଣି। ଏଣୁ ସମସ୍ତେ ଅପେକ୍ଷା କରିଛନ୍ତି ୨ ତାରିଖ ପୂର୍ଣ୍ଣିମାକୁ।
ଆଜି ନରାଜଠାରେ ବିପଦ ସଙ୍କେତଠାରୁ ଉପରେ ବନ୍ୟାଜଳ ରହିଛି। ସେଠାରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ରିପୋର୍ଟ ଲେଖା ହେବା ବେଳକୁ ଏହା ୨୬.୯୬ ମିଟର ରହିଛି। ସେହିଭଳି ଦେବୀ ନଦୀ ଆଳିପିଙ୍ଗଳ ଠାରେ ବିପଦ ସଙ୍କେତ ଠାରୁ ସାମାନ୍ୟ ତଳେ ପ୍ରବାହିତ ହେଉଛି, କୁଶଭଦ୍ରା ବି। ରାଜ୍ୟରେ ବନ୍ୟା ଆସିଥିବା ଅନ୍ୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଗଲାଣି, ଯଦିଓ ତଳମୁଣ୍ଡରେ ପାଣି ଗାଁ ଗଣ୍ଡାରେ ଜମି ରହିଛି। ହୀରାକୁଦରେ ଏବେ ୩୨ଟି ଗେଟ୍ ଖୋଲାଥିବା ବେଳେ ଖଇରମାଳ ଠାରେ ସେକେଣ୍ଡ ପ୍ରତି ୯ଲକ୍ଷ ୯୦ ହଜାର ଘନଫୁଟ ଓ ବରମୂଳ ଠାରେ ୮ଲକ୍ଷ ୬୨ ହଜାର ୫୦୦ ଘନଫୁଟ ରହିଛି। ଆଜି ସକାଳେ ୪୦ଟି ଗେଟ୍ ଖୋଲାଥିଲା। ୧୨ ଘଣ୍ଟା ମଧ୍ୟରେ ହୀରାକୁଦ କର୍ତ୍ତୃପକ୍ଷ ୮ଟି ଗେଟ୍ ବନ୍ଦ କରିଛନ୍ତି।
ସେପଟେ ଆସନ୍ତାକାଲି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ସତର୍କ ରହିବାରୁ ୧ରୁ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0