ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କହିବା କଥା, କଟକଣା କୋହଳ ପରେ ବି ବସ୍ରେ ମାତ୍ର ୧୦ରୁ ୨୦ ଜଣ ଯାତ୍ରୀ ଆସୁଛନ୍ତି। ଯେଉଁଥିରେ ବସ୍ ଚଳାଇବା ସମ୍ଭବ ହେଉନାହିଁ। ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସ୍ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ୟ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି।
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, କଟକଣା କୋହଳ ହେବା ପରେ ଉଭୟ ସରକାରୀ ଓ ଘରୋଇ ବସ୍ ଚଳାଚଳ କରିବାରେ ଆଉ କିଛି ଅସୁବିଧା ନାହିଁ। କୋଭିଡ୍ ନିୟମ ପାଳନ କରିବା ପୂର୍ବକ ଏଣିକି ବସ୍ ଚଳାଚଳ କରିପାରିବ। ବସ୍ ମାଲିକ ସଂଘ ଦାବି ମୁତାବକ ଆଗରୁ ପରମିଟ୍ ଟିକସ ଛାଡ଼ କରାଯିବା ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି। ମାଲିକମାନେ ବସ୍ ଚଳାଚଳ ଆରମ୍ଭ କଲେ ଲୋକମାନେ ଧୀରେ ଧୀରେ ପୁଣି ଥରେ ବସ୍ରେ ଯାତ୍ରା କରିବେ। ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ୟ୍ୟ କହିଛନ୍ତି, ରାଜ୍ୟରେ ଏବେ ୧୭୫ଟି ବସ୍ ଚଳାଚଳ କରୁଛି। ମୋଟ ୧୬ ହଜାର ବସ୍ ଭିତରୁ ଏବେସୁଦ୍ଧା ୯୫% ଗାଡ଼ି ଚାଲିନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକମାନେ ବସ୍ରେ ଯାତ୍ରା କରିବା ପାଇଁ ଭୟ କରୁଛନ୍ତି। ଏବେ କୋଲକାତାକୁ ୩ ଖଣ୍ଡ ଗାଡ଼ି ଚାଲୁଛି ଅଥଚ ଲୋକ ହଉନାହାନ୍ତି। ଏ ନେଇ ସରକାର ବିଜ୍ଞାପନ ପ୍ରକାଶ କଲେ କିଛିଟା ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଆଚାର୍ୟ୍ୟ ମତ ରଖିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0