ସହରରେ ସାମ୍ପ୍ରତିକ ଆଇନ-ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଆଜି ରାଜଧାନୀ ଅଗରତାଲାରେ ରାଲି କରିବା ଲାଗି ତ୍ରିପୁରା ପୁଲିସ ‘ତୃଣମୂଳ କଂଗ୍ରେସ’ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଅନୁମତି ଦେବାକୁ ଅଗ୍ରାହ୍ୟ କରି ଦେଇଛି। କିନ୍ତୁ, ଅଭିଷେକ ଆଜି ଅଗରତାଲା ଗସ୍ତ କରିବେ। ନରହତ୍ୟା ଉଦ୍ୟମ ଅଭିଯୋଗରେ ରବିବାର ଦିନ ତ୍ରିପୁରା ପୁଲିସ ‘ତୃଣମୂଳ ଯୁବ କଂଗ୍ରେସ’ ସଭାପତି ସାୟୋନି ଘୋଷଙ୍କୁ ଗିରଫ କରିଛି। ଶନିବାର ସନ୍ଧ୍ୟାରେ ସେ କୁଆଡ଼େ କେତେକ ‘ବିଜେପି’ କର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ। ଆଜି ସାୟୋନିଙ୍କୁ ଅଦାଲତରେ ହାଜର କରାଯିବ। ତାଙ୍କ ପାଇଁ ‘ତୃଣମୂଳ କଂଗ୍ରେସ’ ତୁରନ୍ତ ଜାମିନ ଆବେଦନ କରିବ। ଉତ୍ତେଜନା ବାତାବରଣ ବୃଦ୍ଧି ପାଉଥିବା ହେତୁ ଅଗରତାଲାରେ ‘ବିଜେପି’ କିଂବା ‘ତୃଣମୂଳ କଂଗ୍ରେସ’କୁ ରାଲି ବା ‘ରୋଡ୍ ସୋ’ କରାଇ ଦିଆଯିବ ନାହିଁ ବୋଲି ପୁଲିସ କହିଛି। ସବ୍ ଡିଭିଜିନାଲ୍ ପୋଲିସ୍ ଅଫିସର୍ ରମେଶ ଯାଦବ କହିଛନ୍ତି, ଉଭୟ ଦଳକୁ ପଥପ୍ରାନ୍ତ ସଭା କରିବାକୁ ଅନୁମତି ଦିଆଯାଇଛି। ଆଜି ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୨.୩୦ ମଧ୍ୟରେ ପଥପ୍ରାନ୍ତ ସଭା କରିବା ଲାଗି ‘ତୃଣମୂଳ କଂଗ୍ରେସ’କୁ ଅନୁମତି ଦିଆଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0