ଭୁବନେଶ୍ୱର: ଗତ ଜୁଲାଇରେ ଲଗାଇଥିବା ଆର୍ଥିକ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏ ସଂକ୍ରାନ୍ତରେ ସମସ୍ତ ବିଭାଗୀୟ ମୁଖ୍ୟ ସଚିବ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି । କୋଭିଡ ମହାମାରୀ ପାଇଁ ସରକାର ଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟ, ନିଯୁକ୍ତିକୁ ବନ୍ଦ କରିଥିଲେ । ଅର୍ଥ ବିଭାଗ ପକ୍ଷରୁ ବ୍ୟୟ ସଂକୋଚନ କରିବାକୁ ଆର୍ଥିକ କଟକଣା ଜାରି କରାଯାଇଥିଲା । କିନ୍ତୁ ରାଜ୍ୟରେ ଆର୍ଥିକ ସ୍ଥିତି ଓ ଲୋକଙ୍କ ଜୀବିକା ପ୍ରଭାବିତ ହେବାରୁ ଏହି କଟକଣା ଏବେ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ପୂର୍ବ କଟକଣା ଅନୁଯାୟୀ ମେଡିକାଲ ଯନ୍ତ୍ରପାତି, ଆଭ୍ୟନ୍ତରୀଣ ସୁରକ୍ଷାକୁ ଛାଡି ଡିଜିଟାଲ କମ୍ୟୁନିକେସନ୍ ବ୍ୟବସ୍ଥା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ହେଲେ ଅର୍ଥ ବିଭାଗର ଅନୁମତି ନେବାକୁ ପଡୁଥିଲା । କିନ୍ତୁ ଏବେ ଡିଜିଟାଲ ଯନ୍ତ୍ରପାତି କିଣିବା ପାଇଁ ଅର୍ଥ ବିଭାଗର ଅନୁମତି ଆବଶ୍ୟକ ପଡିବ ନାହିଁ । ଦୀର୍ଘମିଆଦି ରୁଣ, ଯେମିତିକି ଗୃହ ରୁଣି, ମୋଟର କାର ଓ କମ୍ପ୍ୟୁଟର କିଣିବା ପାଇଁ ରୁଣ ଉପରେ କଟକଣା ଲାଗିଥିଲା ହେଲେ ଏହି କଟକଣାକୁ ଉଠାଇ ଦିଆଯାଇଛି । କୋଭିଡ ପରିଚାଳନା ପାଇଁ ଉଦ୍ଦିଷ୍ଟ ଆନୁସଙ୍ଗିକ ଖର୍ଚ୍ଚକୁ ଛାଡି ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଉପରେ ବଜେଟ ଖର୍ଚ୍ଚ ୬୦ ପ୍ରତିଶତରେ ସୀମିତ ରଖାଯାଇଥିଲା । ହେଲେ ଏବେ ଏହି ସୀମାକୁ ୭୫ ପ୍ରତିଶତ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0