ତେହରାନ – ଇରାନର ରିଭଲ୍ୟୁସନାରି ଗାର୍ଡର ମୁଖ୍ୟ ମେଜର ଜେନେରାଲ ହୁସେନ୍ ସଲାମୀ ଗତକାଲି ଆମେରିକାକୁ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଟପ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନିଶ୍ଚିତ ନେବେ। ଏ ପାଇଁ ଦାୟୀ ଥିବା ଲୋକଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ଇରାନର ଲୋକପ୍ରିୟ କୁଡ୍ସ ଫୋର୍ସର ମୁଖ୍ୟ ସୁଲେମାନି ଚଳିତବର୍ଷ ଜାନୁଆରୀରେ ବଗଦାଦ ଏୟାରପୋର୍ଟ ନିକଟବର୍ତୀ ଗୋଟିଏ ଆମେରିକୀୟ ଏୟାର ଷ୍ଟ୍ରାଇକ ଆକ୍ରମଣରେ ପ୍ରାଣ ହରାଇଥିଲେ। ଆମେରିକା ମିଡିଆ ରିପୋର୍ଟରେ କାହାର ନାଁ ନ ନିଆଯାଇ କୁହାଯାଇଥିଲା ତେହରାନ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଆମେରିକାର ରାଜଦୂତ ଲାନା ମାକର୍ସଙ୍କୁ ଟାର୍ଗେଟ କରିପାରେ। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନାଙ୍କୁ ଚେତାବନୀ ଦେଇ ଥିଲେ। ଯଦି ଏମିତି ହୁଏ ତାହେଲେ ଆମେରିକା ଏହାର ହଜାର ଗୁଣ କଡ଼ା ପ୍ରତିକ୍ରିୟା ଦେବ। ସେହିପରି ଦକ୍ଷିଣ ଆଫ୍ରିକାର ସରକାରୀ ସୁରକ୍ଷା ଏଜେନ୍ସି ଗତ ଶୁକ୍ରବାର ମାର୍କସଙ୍କ ବିରୋଧରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତ୍ୟାଖାନ କରିଛି। ଟ୍ରମ୍ପଙ୍କ ଚେତାବନୀକୁ ଇରାନର ରିଭଲ୍ୟୁସନାରୀ ଗାର୍ଡ ମୁଖ୍ୟ ମେଜର ଜେନେରାଲ ହୁସେନ ସଲାମୀ ଜବାବ ଦେଇ କହିଛନ୍ତି, ‘ଆମ ମହାନ କମାଣ୍ଡର ଶହଦାତଙ୍କ ପ୍ରତିଶୋଧ ନିଶ୍ଚିତ, ଗମ୍ଭୀର ଓ ବାସ୍ତବିକ ହେବ। ମାତ୍ର ଆମେ ସମ୍ମାନିତ ତଥା ନ୍ୟାୟପୂଣ୍ର୍ଣ ଭାବରେ କରିବୁ। ଭାବୁଛନ୍ତି କି ଦକ୍ଷିଣ ଆଫ୍ରିକାର ମହିଳା ରାଜଦୂତଙ୍କ ଉପରେ ଆକ୍ରମଣ କରିବୁ? ତେବେ ଯିଏ ଏହି ଘଟଣାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସାମିଲ ଥିବେ ଆମେ ସେମାନଙ୍କୁ ଟାର୍ଗେଟ କରିବୁ।’ ସୂଚନାଯୋଗ୍ୟ ଇରାନର କୁଡ୍ସ ଫୋର୍ସର ମୁଖ୍ୟ କାସିମ ସୁଲେମାନୀ ଆମେରିକୀୟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ। ସୁଲେମାନିଙ୍କ ମୃତ୍ୟୁ ପରେ ଇରାନ ଇରାକ ସ୍ଥିତ ଆମେରିକା ବେସରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ମାତ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0