କଟକ : ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ରେ ରହିଛି ଅଂଶୁପା ହ୍ରଦ । କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ ଏକର ଅଂଚଳ ଜବରଦଖଲକୁ ଚାଲିଗଲାଣି। ନାଗା ବା ରାଜ ଦଳ ସଫେଇ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଦଳ ମାଡ଼ି ହ୍ରଦ ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ବି ହ୍ରାସ ପାଇ ଚାଲିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ହାତରେ ଅଂଶୁପା ବିକାଶ ଯୋଜନା ରହିଥିଲେ ବି ବର୍ତ୍ତମାନ ସ୍ଥିତିରେ ଏହା ହୁଏତ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି କରିଛି। ।
୨୦୦୫ରେ ଦଶମ ଅର୍ଥ କମିଶନ ଅନୁଦାନରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ବୋଟି˚, ପାର୍କ ସହ ଅନେକ ଉନ୍ନୟନ କାମ କରାଯାଇଥିଲା। କିନ୍ତୁ କିଛି ବର୍ଷ ପରେ ସବୁ ବନ୍ଦ ହୋଇଗଲା। ଏବେ ନାଁକୁ ଚାଲିଛି ବୋଟିଂ। ଦଳ ଭିତରେ ଅଟକି ଯାଉଛି ବୋଟ। ବର୍ତ୍ତମାନ ପୁଣି ଜିଲ୍ଲାପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରେ ସମନ୍ବୟରେ ଆରମ୍ଭ ହୋଇଛି ଅଂଶୁପା ବିକାଶ କାର୍ଯ୍ୟ। ଆରମ୍ଭ ହୋଇଛି ଦଳ ସଫେଇ। ଅଂଶୁପାକୁ ଦଳମୁକ୍ତ କରିବା ସହ ବିଭିନ୍ନ ଉନ୍ନୟନ ପାଇଁ ଗଲା କିଛି ବର୍ଷ ଧରି ପ୍ରତିବର୍ଷ ୪୦/୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆସୁଥିବା ସୂଚନା ରହିଛି। କେରଳରୁ ଏକ ଦଳ ସଫେଇ ମେସିନ୍ ଅଣାଯାଇ ଅଂଶୁପାରେ ଦଳ ସଫେଇ କରାଯାଉଛି। କେଉଁ କାରଣରୁ ଦଳ ହେଉଛି ଓ କେଉଁ ପ୍ରକାର ଦଳ ରହିଛି, ତାହାକୁ ନେଇ ସର୍ଭେ କରାଯାଇଛି। ଏବେ ଅଂଶୁପାକୁ ଦଳମୁକ୍ତ କରିବା ପାଇଁ ଦଳ ଖାଉଥିବା ମାଛ ମଧୢ ଛଡ଼ାଯିବ ବୋଲି ଯୋଜନା କରାଯାଇଛି। କାବୁଲା ଓ ହୁଳୁହୁଳା ନାଳକୁ ଖନନ ଯୋଜନା ରହିଛି। କିନ୍ତୁ ଏହା କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ଆଶଙ୍କା ବଢିବାରେ ଲାଗିଛି। ସିଡିଏର ସିସିଏଫ୍ ସୁଶାନ୍ତ କୁମାର ନନ୍ଦ କହିଛନ୍ତି ଯେ ୧୦/୧୫ ଦିନ ଭିତରେ ଅଂଶୁପାରୁ ଦଳ ସଫେଇ ଆରମ୍ଭ ହେବ। ଅଂଶୁପାର ବିକାଶ ପାଇଁ ବି ଅନେକ ଯୋଜନା କରାଯାଉଥିବା ସେ କହିଛନ୍ତି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0