କୋଲକାତା: ୧୫ ହଜାର କୋଟିର ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତ୍ରୀ ଗିରଫ୍। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଟିଏମସି ସାଂସଦ ଗୌତମ କୁଣ୍ଡୁଙ୍କ ଧର୍ମପତ୍ନୀ ଶୁଭ୍ରା କୁଣ୍ଡୁ। ସେ ପେଶାରେ ଜଣେ ବଙ୍ଗୀୟ ଅଭିନେତ୍ରୀ। ସିବିଆଇ ଶୁକ୍ରବାର ଅର୍ଥ ହେରଫେର ଅଭିଯୋଗରେ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ କୋଲକାତାରେ ଚଢ଼ାଉ କରି ଅନେକ କାଗଜପତ୍ର ଜବତ କରିଥିଲା ସିବିଆଇ। ଶୁଭ୍ରାଙ୍କ ସ୍ୱାମୀ ତଥା ସାଂସଦ ଗୌତମ କୁଣ୍ଡୁ ଏହି ବହୁ ଚର୍ଚ୍ଚିତ ଠକେଇର ଅନ୍ୟତମ ମୁଖ୍ୟ କିଙ୍ଗପିନ ବୋଲି ଅଭିଯୋଗ ରହିଛି। ସ୍ୱାମୀଙ୍କ ପାଖରୁ ଟଙ୍କା ଆଣି ମନି ଲଣ୍ଡରିଂ ଜରିଆରେ ବିଦେଶକୁ ଟଙ୍କା ପଠାଇ କୁଣ୍ଡୁ ସମ୍ପତ୍ତି କିଣିଥିବା ଅଭିଯୋଗ ରହିଛି। ଏହାପୂର୍ବରୁ ମଧ୍ୟ ଇଡି ଥରେ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଥିଲା, ପରେ ସେ ଜାମିନ ପାଇଥିଲେ। ଏହି ୧୫ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ଗୌତମ କୁଣ୍ଡୁଙ୍କୁ ସିବିଆଇ ଓ ଇଡି ଗିରଫ କରି ଜେଲକୁ ପଠାଇଥିଲା। ଏମିତିକି ଏହି ମାମଲାରେ ସିବିଆଇ ଟିଏମସି ନେତାଙ୍କୁ ମଧ୍ୟ ଜେରା କରିଥିଲା। ଯେଉଁଥିରେ ଟିଏମସି ସାଂସଦ ସୁଦୀପ ବାନ୍ଦୋପାଧ୍ୟାୟ ଏବଂ ସ୍ୱର୍ଗତ ବିଧାୟକ ତାପସ ପାଲ ଜେଲ ଯାଇଥିଲେ। ପରେ ଉଭୟଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ଠକେଇ ସହ ଜଡିତ ଥିବା ଅଭିଯୋଗ ଆସିବା ପରେ ଟିଏମସି ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରୟଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ରୋଜଭ୍ୟାଲିରୁ ପାଇଥିବା ଟଙ୍କା ଫେରାଇ ଦେଇଥିଲେ ଇଡିକୁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0