spot_img

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ ରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ …

ଭୁବନେଶ୍ୱର : ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗ ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଲେଖିକା ଉପନ୍ୟାସରେ ହାତ ଦେଇନଥିଲେ । ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀରେ ମଧ୍ୟ କବିତା ଲେଖିଥିବା କୁନ୍ତଳା କୁମାରୀ | ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ଶୈଶବ ଓ କୈଶୋର ତାଙ୍କର କଟିଥିଲା ବର୍ମାର ଅଣଓଡ଼ିଆ ପରିବେଶରେ । ତେଣୁ ସେ ଆରମ୍ଭରୁ ହିନ୍ଦୀ ଭାଷା ସହିତ ପରିଚିତ ହେଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ ।  ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ | ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ନିମନ୍ତେ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ ।ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡ. କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ ।ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁବରଣ କରିଥିଲେ ।   ତେବେ ଘରୋଇ ଉଦ୍ୟମରେ ‘ମଧୁ ବର୍ଣ୍ଣବୋଧ’, ‘ଶିଶୁପାଠ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ତରଙ୍ଗ’ ଆଦିର ସହାୟତାରେ ସେ ଓଡ଼ିଆ ଶିଖିଲେ । ପରେ ଓଡ଼ିଶା ଫେରି କଟକର ରେଭେନ୍‍ସା ଗାର୍ଲସ୍‍ ହାଇସ୍କୁଲ୍ରେ ପାଠ ପଢ଼ିଲେ । ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାପରେ ଗାର୍ଲସ୍‍ ସ୍କୁଲ୍‍ ଛାଡ଼ି ମେଡିକାଲ୍‍ ସ୍କୁଲରେ ନାମ ଲେଖାଇଲେ । ୧୯୨୧ରେ କୁନ୍ତଳାକୁମାରୀ ବିହାର ଓ ଓଡ଼ିଶାର ମେଡିକାଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇଥିଲେ । ଏଥିପାଇଁ ସେ ୧୬ଟି ରୌପ୍ୟ ଓ ସ୍ୱର୍ଣ୍ଣପଦକ ପାଇଥିଲେ । ସେ ସରକାରୀ ଚାକିରିରେ ଯୋଗ ନଦେଇ ସ୍ୱାଧୀନ ଭାବେ ଚିକିତ୍ସା କରିବାକୁ ସ୍ଥିରକଲେ । ତାଙ୍କର ଗୁରୁ କୈଳାସଚନ୍ଦ୍ରଙ୍କ ପ୍ରତି ସେ ଅନୁରାଗୀ ଥିଲେ ଓ ତାଙ୍କୁ ନେଇ କବିତା ଲେଖିବା ଆରମ୍ଭ କରିଥିଲେ । କ୍ରମେ କୈଳାସଙ୍କ ସହାୟତାରେ ତାଙ୍କର ‘ତାରା ପ୍ରତି’ ଶୀର୍ଷକ ଏକ କବିତା ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଲା । ପରେପରେ ‘ଶେଫାଳି ପ୍ରତି’, ‘କମଳ ପ୍ରତି’ ଆଦି ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହେଲା । ସେ କୈଳାସଙ୍କୁ ବିବାହ କରିବାକୁ ଚାହିଁ ଖ୍ରୀଷ୍ଟିଆନ୍‍ ଧର୍ମ ଛାଡ଼ି ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ମାତ୍ର ବିବାହ ସମ୍ଭବ ହେଲାନାହିଁ । ପୁନଶ୍ଚ ସେ ଦିଲ୍ଲୀ ଯାଇ ସେଠାରେ ଆର୍ଯ୍ୟସମାଜର ଅନ୍ତର୍ଭୁକ୍ତ ହୋଇ ବିବାହ ପାଇଁ ଅନୁମତି ପାଇଲେ । ମାତ୍ର କୈଳାସ ଧରାଛୁଆଁ ନଦେବାରୁ ସେ ଡ. ବ୍ରହ୍ମଚାରୀଙ୍କୁ ବିବାହ କରିଥିଲେ । ଦିଲ୍ଲୀରେ ସେ ଚିକିତ୍ସା କ୍ଷେତ୍ରରେ ଖୁବ୍‍ ନାମ କମାଇବା ସହ ସାହିତ୍ୟ ରଚନାରେ ବ୍ରତୀ ହେଲେ । ତାଙ୍କ କବିତାର ପ୍ରଶଂସା କରି ପୁରୀର ମହିଳାବନ୍ଧୁ ସମିତି ତାଙ୍କୁ ‘ଉତ୍କଳ ଭାରତୀ’ ଉପାଧି ଦେଇଥିଲେ । ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ଅନେକ କାବ୍ୟ କବିତା ରଚନା କରି ଯଶସ୍ୱୀ ହୋଇଥିଲେ । କେବଳ କବିତା ନୁହେଁ, ଭ୍ରାନ୍ତି, ନଅତୁଣ୍ଡୀ, କାଳୀ ବୋହୂ, ପରଶମଣି, ରଘୁ ଅରକ୍ଷିତ ଆଦି ଅନେକ ସଫଳ ଉପନ୍ୟାସର ମଧ୍ୟ ଥିଲେ ସ୍ରଷ୍ଟା । ବାଲ୍ୟାବସ୍ଥାରୁ ଆର୍ଥିକ ଅନଟନ, ଯୌବନାବସ୍ଥାରେ ପ୍ରେମପ୍ରଣୟଜନିତ ହତାଶାବୋଧ, ପ୍ରତାରଣା ଓ ଉପେକ୍ଷା- ଏସବୁ ବାହାରକୁ ଖଣ୍ଡଖଣ୍ଡ ଦେଖାଗଲେ ବି ସାମଗ୍ରିକ ଭାବେ ଏକ ଅଖଣ୍ଡ ଆତ୍ମିକ ଅଭିଜ୍ଞତା ଜୀବନରୁ ଜୀବନକୁ ତାଙ୍କର ଗତି । ଭୂମିିରୁ ଭୂମାକୁ ଦୃଷ୍ଟି । ସାଧାରଣ ଧୀଶକ୍ତିସମ୍ପନ୍ନ, ଗଭୀର ଆତ୍ମବିଶ୍ବାସରେ ଭରପୂର ସେ ଏକ ପୂର୍ଣ୍ଣଗର୍ଭା ବ୍ୟକ୍ତିତ୍ବ । ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା । କଳା ପାଇଁ କଳା ନୁହେଁ, ଜୀବନ ପାଇଁ କଳାର ସୃଷ୍ଟିରେ ସେ ବିଶ୍ବାସୀ ଥିଲେ। ତତ୍‌କାଳୀନ ସମାଜରେ ପୂରି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ବିଶେଷତଃ ନାରୀଜୀବନର ବିବିଧ ସମସ୍ୟାକୁ ଦୂରେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଳ୍ପନା ସେ କରିଥିଲେ । କୁନ୍ତଳାଙ୍କ ଜୀବନ ଏକ ବିସ୍ମୟ । ମେଘମେଦୁରିତ ଆକାଶରେ ବିଜୁଳିର ଚମକ ପରି ତାଙ୍କର ଆବିର୍ଭାବ ଓ କ୍ଷଣେମାତ୍ର ଚତୁର୍ଦିଗକୁ ଆଲୋକିତ କରି ନିର୍ବାପନ । ୧୯୩୭ରେ ଏକ ପୁତ୍ରସନ୍ତାନ ଜନ୍ମଦେବା ପରେପରେ ସେ ଚିରଦିନ ପାଇଁ ଆଖି ବୁଜିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular