ଯାଜପୁର : ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ଦିନ ମା ବିରଜାଙ୍କ ମନ୍ଦିର ବାହାରେ ମାଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଶ୍ରୀ ରାଠୋର ଏହା ପୂର୍ବରୁ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ କରିବା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ , ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ତେବେ ବ୍ରହ୍ମପୁରରେ ଥିବା ସମୟରେ ଜିଲ୍ଲାପାଳ କରୋନା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାହାକୁ ଯାଜପୁରରେ କାର୍ଯ୍ୟକାରୀ କରାଯିବ । ଯେପରି ବ୍ରହ୍ମପୁର ଭଳି ଯାଜପୁରରେ କରୋନା ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି । ଆସନ୍ତା ୧୫ ଦିନ କରୋନା ମୁକାବିଲାକୁ ମୁଖ୍ୟ ଲକ୍ଷ୍ୟ ରଖି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଜନ ସାଧାରଣ କରୋନା ଗାଇଡଲାଇନ ମାନିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ନୂତନ ଜିଲ୍ଳାପାଳ ଯାଜପୁର ଆସିବା ପରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ଏବେ କରୋନା ତାଲିକାରେ ୫ନମ୍ବରେ ରହିଥିବା ବେଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0