ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା- ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ୟ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ୟ୍ୟନ୍ତ ସବୁ କାର୍ୟ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ। ଭିଡିଓ କନଫରେନସିଂ ଜରିଆରେ ଏହି କାର୍ୟ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନଏସଏଫଏରୁ ବାଦ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି। ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଛନ୍ତି। ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବ। ସେଥିପାଇଁ ଅନଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ମାସକ ମଧ୍ୟରେ କେତେ ଲୋକ ଏହି ଅନଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ ‘ମ୍ୟାକିଂ ଅଫ୍ ଏ ଫୁଡ୍ ସିକ୍ୟୋର ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଗୁଡିକ ହେଲା – ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ଵାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ। ଏସବୁ ସୁବିଧା ଗୁଡିକ www.foododisha.inରେ Cetizen Services ଲିଙ୍କରେ ମିଳିପାରିବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0