ମୁମ୍ବାଇ – କଂଗ୍ରେସ ଚାପରେ ମୁଣ୍ଡ ନୁଆଇଁଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କଂଗ୍ରେସ ପକ୍ଷରୁ କ୍ୟାବିନେଟ୍ ବୈଠକ ବହିଷ୍କାର ଧମକ ପରେ ମହାରାଷ୍ଟ୍ର ସରକାର ବୁଧବାର ନୂତନ କୃଷି ଆଇନ ଲାଗୁ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ସରକାରରେ ସହଯୋଗୀ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପକ୍ଷରୁ ମହାରାଷ୍ଟ୍ରରେ କୃଷି ଆଇନକୁ ବିରୋଧ କରି ଏହାକୁ କୃଷକ ବିରୋଧୀ କହିବା ପରେ ଉଦ୍ଧବ ସରକାରଙ୍କ ନେତୃତ୍ଵାଧୀନ ମେଣ୍ଟ ସରକାର ନୂତନ କୃଷି ଆଇନକୁ ଲାଗୁ କରିବା ନେଇ ବର୍ତ୍ତମାନ ଦ୍ଵନ୍ଦ୍ଵାତ୍ମକ ସ୍ଥିତିରେ ଥିଲେ। ନିକଟରେ ସଂସଦର ଉଭୟ ଗୃହରେ ପ୍ରବଳ ବିରୋଧ ମଧ୍ୟରେ କୃଷି ବିଧେୟକ ଗୃହୀତ ହୋଇଥିଲା।
ଗତ ସପ୍ତାହରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାଓ୍ଵାର ଘୋଷଣା କରିଥିଲେ ଯେ, ରାଜ୍ୟ ସରକାର କୃଷି ସୁଧାର ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟରେ ଯଥାସମ୍ଭବ ଆଇନର ଦିଗ ଦେଖିବା ସହିତ କୃଷକଙ୍କ ବିରୋଧରେ ହେଉଥିବା ଘୋର ଅନ୍ୟାୟକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲା ସାହେବ ଥୋରାଟ ଏହା ପୂର୍ବରୁ ଦାବି କରିଥିଲେ ଯେ, ସମସ୍ତ ତିନି କ୍ଷମତାସୀନ ଦଳ ନୂତନ ଆଇନକୁ ବିରୋଧ କରିଛନ୍ତି।
ଉଲ୍ଲେଖନୀୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ବିରୋଧ ମଧ୍ୟରେ ନୂତନ କୃଷି ବିଧେୟକ ପାରିତ ହୋଇଥିଲା। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ବିଧେୟକୁ ମଞ୍ଜୁରୀ ଦେବା ପରେ ଏହା ଆଇନରେ ପରିଣତ ହୋଇଥିଲା। ସମସ୍ତ ରାଜନୈତିକ ଦଳ ଏବଂ ଅନେକ କୃଷି ସଂଗଠନ ଏହି ବିଧେୟକ ଉପରେ ଦସ୍ତଖତ ନକରିବାକୁ ରାଷ୍ଟ୍ରପତିଙ୍କୁ ଅପିଲ୍ କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0