କରୋନା ମହାମାରୀ ପ୍ରଭାବରେ ଚାକିରି ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ ମିଳିବ ବେକାରି ଭତ୍ତା। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ଦିଆଯିବ। ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଅଂଶ ଭାବେ ବେକାର ହୋଇପଡ଼ିଥିବା ଶ୍ରମିକଙ୍କୁ ଭତ୍ତା ମିଳିବ। ଏହାର ବିଜ୍ଞପ୍ତିକୁ ଆଜି କେନ୍ଦ୍ର ସରକାର ଜାରି ରଖିଛନ୍ତି। ବେକାରି ଭତ୍ତା ଭାବେ ଶ୍ରମିକମାନଙ୍କୁ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ଇଏସ୍ଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ। ଏହି ଯୋଜନାକୁ ସରକାର ଆକର୍ଷଣୀୟ କରିଛନ୍ତି। ବେକାର ହୋଇପଡ଼ିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ୟ୍ୟନ୍ତ ୫୦ ପ୍ରତିଶତ ବେକାରି ଭତ୍ତା ପ୍ରଦାନ କରାଯିବ। ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ଚାକିରି ହରାଇବେ ସେମାନଙ୍କୁ ଏହି ଭତ୍ତା ଦିଆଯିବ। ଇଏସ୍ଆଇସିର ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ଚାକିରି ହରାଇଛନ୍ତି ସେମାନେ ବେକାରି ଭତ୍ତା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ହାରାହାରି ବେତନର ୫୦ ପ୍ରତିଶତ ରାଶି ଭତ୍ତା ଆକାରରେ ଦିଆଯିବ। ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା। ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇରୁ ୨୦୨୧ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ମୋଟ ଉପରେ ଏହି ଯୋଜନା ଦ୍ବାରା ୪୧,୯୪,୧୭୬ ଜଣ ଶ୍ରମିକ ଲାଭବାନ ହେବେ। ଏହାକୁ କାର୍ୟ୍ୟକାରୀ କରିବା ଲାଗି ଇଏସ୍ଆଇସିକୁ ୬୭୧୦.୬୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଇଏସ୍ଆଇସି ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଯାହା ମାସିକ ୨୧ ହଜାର ଟଙ୍କା ପର୍ୟ୍ୟନ୍ତ ଦରମା ପାଉଥିବା ଶ୍ରମିକମାନଙ୍କୁ ଇଏସ୍ଆଇ ସ୍କିମ୍ ଅଧୀନରେ ବୀମା ସୁବିଧା ଯୋଗାଇ ଦେଉଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0