କଟକ : ପ୍ରଥମ ଥର ପାଇଁ କଟକ କମିସନରେଟ୍ ପୁଲିସ୍ରେ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ ଜଗତପୁରସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କରୋନା ବିରୁଦ୍ଧ ଲଢେଇରେ ପ୍ରାଣବଳୀ ଦେଇଥିବା ଦିବାକରଙ୍କୁ ଆସନ୍ତାକାଲି କମିସନ୍ରେଟ୍ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଲାଲବାଗ ଥାନାରେ କନଷ୍ଟେବଲ୍ ଭାବେ କାର୍ଯ୍ୟରତ ଦିବାକର ସେଠୀ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଥମେ ବେଲିଭ୍ୟୁ ନିକଟରେ ଥିବା କୋଭିଡ୍ କେୟାର ସେଣ୍ଟରରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ମାତ୍ର ଏଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ପରେ ତାଙ୍କୁ ଜଗତପୁରସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପ୍ଲାଜମା ଥେରାପିଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ମୃତକଙ୍କ ଭାଇ ମଧ୍ୟ କରୋନା ସଂକ୍ରମିତ ହୋଇଛି ଚିକିତ୍ସିତ ହେଉଛନ୍ତି । ତାଙ୍କ ଭାଇ ଷଷ୍ଠ ବାଟାଲିୟନ୍ର ପୁଲିସ କର୍ମଚାରୀ ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0