ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଏବେ ଶିକାରୀଙ୍କ ଅମରାବତୀ ପାଲଟିଛି। ପ୍ରତିଦିନ ବେଧଡକ ଭାବେ ଭିତରକନିକା ଜାତୀୟ ଉଦ୍ୟାନରୁ ହରିଣ ଓ ବାରହା ଶିକାର କରାଯାଉଛି। ୩ ଦିନ ହେଲା ମୃତ ବାରହା ଓ ମାଂସ ଜବତ ହେଉଥିବା ବେଳେ ଆଜି ହରିଣ ଛାଲ ଜବତ ହୋଇଛି। ଆଜି ଦିନ ଦ୍ବିପ୍ରହରରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯିବା ବାଟରେ ବନବିଭାଗ ଟିମ ଏହି ଛାଲ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, କନକନଗର ଗାଁର ବିଶ୍ବଜିତ ମଣ୍ତଳ ଓ ଶୈଳେନ୍ଦ୍ରନଗର ଗାଁର ମିଥୁନ ପରିଡା । ସୂଚନା ଅନୁସାରେ, ଗିରଫ ଶିକାରୀ ଦ୍ବୟ ଆଜି ଏକ ଗାଡ଼ିରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯାଉଥିଲେ। ସେମାନେ ହରିଣ ଛାଲକୁ ୧୫ହଜାର ଟଙ୍କାରେ ବିକ୍ରି କରିଥାନ୍ତେ। ମାତ୍ର ଖବର ପାଇ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟଙ୍କ ନେତୃତ୍ବରେ ବନବିଭାଗ ଟିମ ଭିତରକନିକାର ପ୍ରବେଶପଥ ଢୋଢୋଇଆ କାଠୁଆ ଛକ ନିକଟରେ ସେମାନଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୪ ଫୁଟ ଲମ୍ବ ୧ ଫୁଟ ୪ଇଂଚ ଚଉଡାର ହରିଣ ଛାଲ ଜବତ କରାଯାଇଛି। ଦୁହିଁଙ୍କୁ ଗିରଫ କରାଯାଇଛି। ୧୦ଦିନ ତଳେ ସେମାନେ ଭିତରକନିକା ଜାତୀୟ ଉଦ୍ୟାନର ନର୍ଥ ମହିଁଷାମୁଣ୍ତା ଫରେଷ୍ଟ ବ୍ଲକ ଅଂଚଳରୁ ହରିଣ ଶିକାର କରିଥିଲେ। ପରେ ତାର ମାଂସକୁ ଖୋଲା ବଜାରରେ ବିକ୍ରି କରିଥିଲେ। ଆଜି ସେହି ହରିଣର ଛାଲକୁ ବିକ୍ରି କରିବାକୁ କେନ୍ଦ୍ରାପଡା ନେଉଥିବା କଥା ଦୁଇ ଶିକାରୀ ସ୍ବୀକାର କରିଥିବା ବନବିଭାଗ ସୂଚନା ଦେଇଛି।



Visitors Today : 1
Total Visitors : 130440
Total Views : 9891972
Visitors Online Now : 0