ନୂଆଦିଲ୍ଲୀ: ମହାମାରୀ କରୋନାରେ ଆଉଟ ପାଉଟ ହୋଇ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ରାଜଧାନୀ ଦିଲ୍ଲୀର ଲୋକଙ୍କ ପ୍ରତି ନୂଆ ବିପଦ ସୃଷ୍ଟି ହୋଇଛି। ଗୋଟିଏ ପ୍ରଦୂଷଣ ଅଣନିଃଶ୍ୱାସୀ କରି ଦେଉଥିବା ବେଳେ ବର୍ତ୍ତମାନ ଡେଙ୍ଗୁ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ସ୍ଥିତି ଏପରି ହୋଇଛି ଯେ ଚଳିତ ବର୍ଷ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବିଗତ ୬ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୨୭୭ ରହିଛି। ୨୦୧୫ ପରେ କେବେ ହେଲେ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କେବଳ ଗତ ଗୋଟିଏ ସପ୍ତାହରେ ପ୍ରାୟ ୨୫୭୦ ଜଣ ଲୋକ ଡେଙ୍ଗୁ ରୋଗରେ ପଡ଼ିଛନ୍ତି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ ଗୋଟିଏ ସପ୍ତାହ ମଧ୍ୟରେ କେହି ଡେଙ୍ଗୁ ଯୋଗୁ ପ୍ରାଣ ହରାଇ ନାହାନ୍ତି। ନଭେମ୍ବର ୧୩ ସୁଦ୍ଧ ମିଳିଥିବା ତଥ୍ୟକୁ ସାର୍ବଜନୀନ କରି ପ୍ରଶାସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି।
୨୦୧୬ରେ ଦିଲ୍ଲୀରେ ୪,୪୩୧, ୨୦୧୭ରେ ୪,୭୨୬, ୨୦୧୮ରେ ୨,୭୯୮, ୨୦୧୯ରେ ୨୦୩୬ ଓ ୨୦୨୦ରେ ମାତ୍ର ୧୦୭୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଡେଙ୍ଗୁ ମାମଲା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ୨୦୧୫ରେ ରାଜଧାନୀରେ ଡେଙ୍ଗୁର ସବୁଠାରୁ ବଡ଼ ବିସ୍ଫୋରଣ ହୋଇଥିଲା। କେବଳ ୨୦୧୫ ଅକ୍ଟୋବର ମାସରେ ୧୦,୬୦୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ।
ଶେଷଥର ପାଇଁ ୧୯୯୬ରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ନଭେମ୍ବର ମାସର ପ୍ରଥମ ୧୩ ଦିନରେ ୩,୭୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ମାସରେ ଏହି ସଂଖ୍ୟା ୧୧୯୬ ଥିଲା। ନଭେମ୍ବର ୬ ସୁଦ୍ଧା ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୦୮ ଥିଲା। ହେଲେ ୧୩ ବେଳକୁ ଏହା ୫୨୭୭ରେ ପହଞ୍ଚି ଯାଇଛି। ଏବେ ବି ଅନେକ ଲୋକଙ୍କ ଡେଙ୍ଗୁ ଭଳି ଲକ୍ଷଣମାନ ଦେଖାଯାଉଛି। ତେଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0