ଜଗତସିଂହପୁର: ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଅପେକ୍ଷା ଜିଲ୍ଳାରେ ଲୁଚାଛପାରେ ଅଧିକ ମଦ ବିକ୍ରି କରାଯାଉଛି। ଚୋରା ମଦ କାରବାର ବଢି ଚାଲିଛି। ଏହି କାରବାରର ଚେର ଆଠଗଡ଼ରୁ ଜଗତସିଂହପୁର ଜିଲ୍ଲାକୁ ଲମ୍ବିଛି। ଅବକାରୀ ଅଧିକାରୀ ସବୁ ଜାଣି ଅଜଣା ପାଲଟିଛି। ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ୧୮ଟି ବିଦେଶୀ, ୧୧ଟି ଦେଶୀ ଏବଂ ୨୮ଟି ଠିପି ଖୋଲା ମଦ ଦୋକାନ ରହିଛି। ଧାର୍ୟ୍ୟଠାରୁ ପ୍ରତ୍ୟେକ ଦୋକାନ ଯଥେଷ୍ଟ ଅଧିକ ମଦ ଉଠାଉଛନ୍ତି। ଏଥିରେ ସରକାର ରାଜସ୍ବ ପାଉଛନ୍ତି। ବିଶେଷ କରି ଚୋରା ମଦ ମାଫିଆଙ୍କ ସହ ହାତ ମିଳାଇ ଜଗତସିଂହପୁରର କିଛି ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଜିଲ୍ଳାରେ ଚୋରା ମଦ ବ୍ୟବସାୟ କରୁଛନ୍ତି। ରାତାରାତି କୋଟିକୋଟି ଟଙ୍କାର ଲାଳସାରେ ଏହି ମାଫିଆମାନେ ଉଭୟ ପୁଲିସ ଓ ଅବକାରୀ ବିଭାଗର କିଛି ଅଧିକାରୀଙ୍କୁ ହାତରେ ରଖି ବେପାର ଚଳାଇଛନ୍ତି। ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କ ନିକଟରେ ସାହସ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଢେ଼ଙ୍କାନାଳ ଓ ନୟାଗଡ଼ରୁ ପୋଚ୍ କଟକ ଆଠଗଡ ଆସୁଛି। ଆଠଗଡ଼ରେ ରନ୍ଧା ମଦ ତିଆରି କରାଯାଉଛି। ଖାଲି ସେତିକି ନୁହେଁ ସ୍ପିରିଟ୍ ଓ ରଙ୍ଗ ମିଶାଇ ଭେଜାଲ ମଦ ତିଆରି କରାଯାଉଛି। ବିଶେଷ କରି ଦାମୀ ବ୍ରାଣ୍ଡର ମଦକୁ ଭେଜାଲ କରାଯାଉଛି। ଆଠଗଡ଼ରେ ତିଆରି ଏହି ଭେଜାଲ ମଦ କେନ୍ଦ୍ରପଡ଼ା, କଟକ ସମେତ ଜଗତସିଂହପୁରକୁ ରବର ବ୍ଲାଡରରେ ଯୋଗାଣ କରାଯାଉଛି। ଜଗତସିଂହପୁର କେତେକ କାଉଣ୍ଟଣ୍ଟରରେ ମଧ୍ୟ ଚୋରା ମଦ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଭେଜାଲ ମଦରେ ଗୋଟେ ନିବ୍ ବୋତଲରେ ଅଧାରୁ ଅଧିକ ଟଙ୍କା ଲାଭ ପାଉଛନ୍ତି ବ୍ୟବସାୟୀ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0