spot_img

ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ଯଶରାଜ ପଣ୍ଡିତଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଯଶରାଜଙ୍କର ପରଲୋକ ହୋଇଛି । ଆମେରିକାର ନ୍ୟୁଜର୍ସିରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘ବାପୁଜୀ ଆଉ ନାହାନ୍ତି’ ବୋଲି ତାଙ୍କ ଝିଅ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଦୁର୍ଗା ଯଶରାଜ ଟ୍ୱିଟ୍ କରି ଜଣାଇଥିଲେ । ତାଙ୍କ ମୃତ୍ୟୁରେ ଦୀର୍ଘ ୮୦ ବର୍ଷର ଶାସ୍ତ୍ରୀୟ ସଙ୍ଗୀତ ଯାତ୍ରାର ଅନ୍ତ ଘଟିଛି । ୧୯୩୦ ମସିହା ଜାନୁଆରୀ ୨୮ ତାରିଖରେ ହରିଆଣାର ହିସାର ଜିଲ୍ଲାର ପିଲିମନ୍ଦୋରି ଗାଁର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିବାବେଳେ ପିତା ପଣ୍ଡିତ ମୋତିରାମଙ୍କର ପରଲୋକ ହୋଇଥିଲା । ବଡ଼ ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କ ପ୍ରଭାବରେ ଯଶରାଜ ଶାସ୍ତ୍ରୀୟ ସଙ୍ଗୀତ ପ୍ରତ ଆକର୍ଷିତ ହୋଇଥିଲେ । ଗୁଜୁରାଟର ମେୱାଟି ଘରାନାରେ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ୧୯୪୬ରେ ସେ କୋଲକାତା ରେଡିଓରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । କିଛି ବର୍ଷ କୋଲକାତାରେ ରହିବା ପରେ ସେ ମୁମ୍ବାଇ ଚାଲି ଯାଇଥିଲେ । ୧୯୬୨ରେ ସେ ମଧୁରା ସାନ୍ତାରାମଙ୍କୁ ବିବାହ କରିଥିଲେ । ପତ୍ନୀ ମଧୁରାଙ୍କ ନିର୍ଦ୍ଦେଶିତ ଅନେକ ଫିଲ୍ମରେ ସେ କଣ୍ଠଦାନ କରିଛନ୍ତି । ବନ୍ଦନା କରୋ, ଯୁଗଳବନ୍ଦୀ, ୱାଦା ତୁମ୍‌ସେ ହୈ ୱାଦା, ଏ ସଙ୍ଗ୍ ଇନ୍ ଲାଇଫ୍ ଅଫ୍ ପାଇ ଭଳି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି ।

jasraj 3

ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୭ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୦ରେ ପଦ୍ମଭୂଷଣ, ୨୦୦୦ରେ ପଦ୍ମବିଭୂଷଣ, ୨୦୧୦ରେ ସଙ୍ଗୀତ ନାଟକ ଫେଲୋସିପ୍‌, ୨୦୧୬ରେ ଗାଙ୍ଗୁଭାଇ ହଙ୍ଗାଲ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ମିଳିଛି ।
ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ନୀତିନ ଗଡ଼କାରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଯଶରାଜ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ବଡ଼ ତାରକାଙ୍କୁ ହରାଇଲା ବୋଲି ମୋଦୀ କହିଛନ୍ତି । ପଣ୍ଡିତ ଯଶରାଜ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ଓ ଅଦ୍ୱିତୀୟ ଶାସ୍ତ୍ରୀୟ ଗାୟକ ଥିଲେ । ତାଙ୍କ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular