ବଲାଙ୍ଗିର : ଟୋକନ ମିଳୁନି। ଯେଉଁଥିପାଇଁ ମଣ୍ଡିରୁ ଧାନ ଉଠୁନି। ଧାନ ନଉଠିବାରୁ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି। ଯାହାକୁ ନେଇ ଆଜି ଚାଷୀମାନେ ତାତିଛନ୍ତି। ପେକ୍ସ ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ସେମାନଙ୍କୁ ବୁଝାଇବାକୁ ଆସିଥିବା ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ତହସିଲଦାର ଓ ଅନ୍ୟ ପେକ୍ସ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇ ଦେଇଛନ୍ତି ଚାଷୀ। ଆଜି ଏମିତି ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି। ମଣ୍ଡିରୁ ଧାନ ଉଠୁନଥିବାରୁ ଆଜି ଚାଷୀମାନେ ପୁଇଁନ୍ତଲା ବ୍ଲକ ଛତାପିପଲ ମଣ୍ଡି ଆଗରେ ଧାରଣାରେ ବସିଥିଲେ। ଚାଷୀଙ୍କ ଏହି ଆନ୍ଦୋଳନରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ବଲାଙ୍ଗିର ସମବାୟ ସମିତିର ଉପନିବନ୍ଧକ ଦାୟିତ୍ୱରେ ଥିବା ଅଧିକାରୀ ରବୀନ୍ଦ୍ର ପଣ୍ଡା, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଶରତ ରାଉତ, ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ଛତାପିପଲ ପେକ୍ସ ସମ୍ପାଦକ ପହଞ୍ଚିଥିଲେ। ମାତ୍ର ଚାଷୀମାନେ ନିଜ ଜିଦରେ ଅଟଳ ରହିଥିଲା। ଧାନ ଉଠାଇବାକୁ ରୋକଠୋକ ଶୁଣାଇ ଦେଇଥିଲେ। ଏହାକୁ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପରେ ଚାଷୀମାନେ ସମସ୍ତଙ୍କୁ ପେକ୍ସ ଅଫିସରେ ପୂରାଇ ତାଲା ପକାଇ ଦେଇଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଫିସରମାନେ ବନ୍ଦୀ ରହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0