ଚଳିତ ବର୍ଷ ଖରିଫ ଚାଷ ପାଇଁ ବିଭିନ୍ନ ସ୍ଥାନରେ ଚାଷୀମାନେ ଠିକ୍ ସମୟରେ ସାର ପାଉ ନ ଥିବାର ଅଭିଯୋଗ ହୋଇଛି । ପୁଣି ଚଢା ଦରରେ ବି ସାର ବିକ୍ରି ହେଉଛି । ବିଭିନ୍ନ ସ୍ଥାନରୁ ଏପରି ଅଭିଯୋଗ ଆସିବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହା ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଅରୁଣ ସାହୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ପ୍ଲାଟଫର୍ମରେ ସାର ଯୋଗାଣର ସମୀକ୍ଷା କରିଥିଲେ । ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକ୍ ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ । ସେଥି ପାଇଁ ପ୍ରତ୍ୟକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅଧିକ ଦରରେ ସାର ବିକ୍ରୟର ଅଭିଯୋଗ ଆସିଲେ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏହା ସହ ରାଜ୍ୟକୁ ଅଧିକ ପରିମାଣରେ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟର ଖରିଫ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ନିମନ୍ତେ ସମୀକ୍ଷା କରାଯାଇଥିଲା । ଆଉ ମଧ୍ୟ କହିଥିଲେ କୋଭିଡ-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧା ପ୍ରାପ୍ତ ନ ହୁଏ ଏବଂ ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନ ହୁଏ ସେଥିପ୍ରତି ସମବାୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସାରର ସୁଷମ ବଣ୍ଟନ କରିବା ଆବଶ୍ୟକ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0