ଓ୍ଵାସିଂଟନ: ଇଂଲଣ୍ଡରେ ଚିହ୍ନଟ ହୋଇଥିବା ଗୁଣସୂତ୍ର ପରିବର୍ତ୍ତିତ ନୂଆ କରୋନାଭାଇରସ ପ୍ରଜାତି ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର କଲରାଡୋରେ ଜଣେ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିବା କଥା ଗଭର୍ଣ୍ଣର ଜାରେଡ ପଲିସ ଘୋଷଣା କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଜଣଙ୍କର ବୟସ ୨୦ ବର୍ଷରୁ ଅଧିକ ଏବଂ ତାଙ୍କର କୌଣସି ଯାତ୍ରା ଇତିହାସ ନାହିଁ। ସମ୍ପ୍ରତି ସେ ଡେନଭରର ଦକ୍ଷିଣପୂର୍ବରେ ଏକାନ୍ତବାସ କରୁଥିବା କଥା ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏହା ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ବୋଲି କଲରାଡୋ ଷ୍ଟେଟ ଲାବ୍ରୋଟରି ସୁନିଶ୍ଚିତ କରିବା ପରେ ‘ସେଣ୍ଟରସ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ’କୁ ସୂଚନା ଦିଆଯାଇଥିଲା। ପୂର୍ବରୁ ବ୍ୟାପିଥିବା କରୋନାଭାଇରସ ପ୍ରଜାତି ଠାରୁ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଅଧିକ ସଂକ୍ରମଣଶୀଳ ବୋଲି ଇଂଲଣ୍ଡର ବୈଜ୍ଞାନିକମାନେ କହୁଛନ୍ତି। ଏବେ ଦିଆଯାଉଥିବା ଟିକା ସବୁ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଦମନ କରିବାରେ ଫଳପ୍ରଦ ହେବ ବୋଲି କଲରାଡୋ ସ୍ୱାସ୍ଥ୍ୟ ଅଧିକାରୀମାନେ ଏକ ରିଲିଜରେ କହିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହି ଭୂତାଣୁ ଅନ୍ୟତ୍ର ବ୍ୟାପିଛି କି, ନାହିଁ ସୁନିଶ୍ଚିତ ହେବାକୁ ଜନସ୍ୱାସ୍ଥ୍ୟ କର୍ମଚାରୀମାନେ ‘କଣ୍ଟାକ୍ଟ ଟ୍ରେସିଙ୍ଗ’ ଅଭିଯାନ ଚଳାଇଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0