ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୃହରକ୍ଷା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ୍ର ଚେତନ ଚୌହ୍ଵାନଙ୍କ ରବିବାର ପରଲୋକ ଘଟିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ କିଡନୀ ଫେଲ୍ ହେବାରୁ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ହେଲେ ରବିବାର ଅପରାହ୍ନ ପ୍ରାୟ ୪ଟା ୩୦ରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ(ଭେଣ୍ଟିଲେଟର)ରେ ରଖାଯାଇଥିଲା।
ଜୁଲାଇ ୧୧ରେ ଚେତନ ଚୌହ୍ଵାନଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାୟ ମାସେ ଧରି ଚିକିତ୍ସା ଜାରି ରହିଥିଲା। ଏହି ସମୟରେ ତାଙ୍କ କିଡନୀରେ ସଂକ୍ରମଣ ବଢି ଯାଇଥିଲା। ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ଚେତନ ଚୌହ୍ଵାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ(ଭେଣ୍ଟିଲେଟର)ରେ ରଖାଯାଇଥିଲା। ଶତ ଚେଷ୍ଟା ପରେ ବି ଚେତନଙ୍କୁ ବଞ୍ଚା ଯାଇ ପାରିନାହିଁ। ଚେତନ ଚୌହ୍ଵାନ ଯୋଗୀ ସରକାରର ଦ୍ଵିତୀୟ କ୍ୟାବିନେଟ୍ ମନ୍ତ୍ରୀ ଯାହାଙ୍କ କରୋନା ସଂକ୍ରମଣ କାରଣରୁ ନିଧନ ଘଟିଛି। ଚେତନ ଚୌହ୍ଵାନ ଅମରୋହା ଜିଲ୍ଲାର ନୌଗାଓଁ ବିଧାନସଭାର ବିଧାୟକ। ଏହା ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ କମଲା ରାଣୀଙ୍କ ଲକ୍ଷ୍ନୌ ସ୍ଥିତି ପିଜିଆଇରେ କରୋନା ସଂକ୍ରମଣ କାରଣରୁ ଦେହାନ୍ତ ଘଟିଥିଲା। ଚୌହ୍ଵାନଙ୍କ ଯୋଗୀ କ୍ୟାବିନେଟ୍ରେ ସୈନିକ କଲ୍ୟାଣ, ଗୃହରକ୍ଷୀ, ପିଆରଡି, ନାଗରିକ ସୁରକ୍ଷା ବିଭାଗର ଦାୟିତ୍ଵ ମିଳିଥିଲା।
ଉଲ୍ଲେଖନୀୟ ଚେତନ ଚୌହ୍ଵାନ ଭାରତୀୟ କ୍ରିକେଟ୍ ଟିମ୍ର ମହତ୍ଵପୂର୍ଣ୍ଣ ବ୍ୟାଟସମ୍ୟାନ ଥିଲେ। ଏବେ ସେ ସକ୍ରିୟ ରାଜନୀତିରେ ଅଛନ୍ତି। ଚେତନ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଲୋକସଭା ସାଂସଦ ମଧ୍ୟ ରହିଛନ୍ତି। ୧୯୯୧ ଓ ୧୯୯୮ର ନିର୍ବାଚନରେ ସେ ବିଜେପି ଟିକେଟ୍ରେ ସାଂସଦ ହୋଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0