ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତିକ୍ଷା ପରେ ଶେଷରେ ଗତକାଲି ବିଧିବଦ୍ଧ ଭାବେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ଟାଟା ସନ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି।
ଏୟାର ଇଣ୍ଡିଆର ଘର ବାହୁଡ଼ା ପରେ କର୍ମଚାରୀ ଉଦ୍ଦେଶ୍ୟରେ ଚିଠି ଲେଖି ଟାଟା ସନ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି, “ଏବେ ଆମେ ମିଳିତ ଭାବେ କ’ଣ ହାସଲ କରିପାରୁବୁ ତାହା ଉପରେ ସମସ୍ତଙ୍କ ଆଖି। ମୋର ବିଶ୍ୱାସ ଅଛି, ଏୟାର ଇଣ୍ଡିଆର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇ ଯାଇଛି। ଏବେ ଆମ ଯାତ୍ରା ଏହି ଦିଗରେ ଆରମ୍ଭ ହେବ । ଅତୀତ ସହ ଜଡ଼ିତ ଯେକୌଣସି ଭଲ ଜିନିଷକୁ ସବୁବେଳେ ସଂରକ୍ଷିତ ରଖିବା ଉଚିତ ଓ ଆବଶ୍ୟକତା ଅନୁଯାୟୀ, ଏହାକୁ ସବୁବେଳେ ପରିବର୍ତ୍ତନ କରିବା ଆବଶ୍ୟକ । ସବୁବେଳେ ପୁରୁଣା ଜିନିଷକୁ ଭବିଷ୍ୟତ ହିସାବରେ ବଦଳାଇବା ସହ ତାହାକୁ ଆପଣେଇବା ଉଚିତ । ଆମ ଦେଶକୁ ଯେପରି ଏୟାରଲାଇନ୍ସର ଆବଶ୍ୟକ ରହିଛି, ତାହାର ନିର୍ମାଣ ଲାଗି ଆମକୁ ଭବିଷ୍ୟତ ଆଡ଼କୁ ଦେଖିବାକୁ ପଡ଼ିବ ।”ଏଥିସହ ସେ କହିଛନ୍ତି, ମୁଁ ପ୍ରଥମେ ୧୯୮୬ ମସିହାରେ ଏୟାର ଇଣ୍ଡିଆରେ ପ୍ରଥମ ଥର ଯାତ୍ରା କରିଥିଲି, ଏହାକୁ ମୁଁ ମୋ ଜୀବନରେ ଅଭୁଲା, ରୋମାଞ୍ଚ ଭରା ସ୍ମୃତି। ହେଲେ ଏବେ ଆଗକୁ ଦେଖିବାର ସମୟ ପହଞ୍ଚିଛି।
ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଆରମ୍ଭ ଟାଟା ଗ୍ରୁପ ଦ୍ୱାରା ୧୯୩୨ ମସିହାର ଆରମ୍ଭ ହୋଇଥିଲା। ହେଲେ ସ୍ୱାଧୀନତା ପରେ ୧୯୫୩ ମସିହାରେ ରାଷ୍ଟ୍ରୀୟକରଣ ଯୋଗୁ ଏହା ସରକାରଙ୍କ ହାତକୁ ପଳାଇଲା। ଦୀର୍ଘ ବର୍ଷ ପରେ ଏହାର ଘର ବାହୁଡା ହୋଇଛି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0