ନୂଆଦିଲ୍ଲୀ : ୨୦୧୯ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ରେ ଭାରତରେ ୪ ଲକ୍ଷ ୨୧ ହଜାର ୧୦୪ ଜଣ ଲୋକ ବିଭିନ୍ନ ପ୍ରକାରର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଏନସିଆରବିର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ଏହି ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ଏହି ୪ ଲକ୍ଷ ୨୧ ହଜାର ୧୦୪ ମୃତକଙ୍କ ମଧ୍ୟରୁ ୧ଲକ୍ଷ ୫୪ ହଜାର ୭୩୨ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ୨୦୧୯ରେ ମୋଟ ୪ ଲକ୍ଷ ୩୭ ହଜାର ୩୯୬ ଟି ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଥିବାବେଳେ ସେଥିରେ ୪ଲକ୍ଷ ୩୯ ହଜାର ୨୬୨ ଜଣ ଆହତ ହୋଇଥିଲେ ଓ ୧ଲକ୍ଷ ୫୪ ହଜାର ୭୩୨ ଜଣ ମୃତ୍ୟୁବରଣ କରିଥିଲେ । ସେହିପରି ଭାବରେ ମୋଟ ସଡ଼କ ଦୁର୍ଘଟଣା ମଧ୍ୟରୁ ୩୮ ପ୍ରତିଶତ ଦୁଇଚକିଆ ଯାନରେ ହୋଇଥିବାବେଳେ ୧୪.୬ ପ୍ରତିଶତ ଦୁର୍ଘଟଣା ଟ୍ରକ ଦ୍ୱାରା ହୋଇଛି । ପ୍ରାୟ ୫୯.୬ ପ୍ରତିଶତ ସଡ଼କ ଦୁର୍ଘଟଣା ଦ୍ରୁତ ଗାଡ଼ିଚାଳନା ଯୋଗୁଁ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରାୟ ୫୯.୫ ପ୍ରତିଶତ ସଡ଼କ ଦୁର୍ଘଟଣା ଗ୍ରାମାଞ୍ଚଳରେ ହୋଇଥିବାବେଳେ ୪୦.୫ ପ୍ରତିଶତ ଦୁର୍ଘଟଣା ସହରାଞ୍ଚଳରେ ହୋଇଛି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି ।
ଅନ୍ୟପକ୍ଷରେ ୨୦୧୯ରେ ଦେଶରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୮୧୪୫ ଜଣ ମୃତ୍ୟୁବରଣ କରିଥିଲେ । ଏହା ମଧ୍ୟରୁ ବଜ୍ରପାତ ଯୋଗୁଁ ୩୫.୩ ପ୍ରତିଶତ , ଅଂଶୁଘାତରେ ୧୫.୬ ପ୍ରତିଶତ ଏବଂ ବନ୍ୟା ଯୋଗୁଁ ୧୧.୬ ପ୍ରତିଶତ ମୃତ୍ୟୁ ହୋଇଛି ବୋଲି ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0