spot_img

ଜିଆରପି ପୋଲିସ୍ ଗାଡିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, କନେଷ୍ଟବଳ ଗିରଫ

ସମ୍ବଲପୁର : ଜିଆରପି ପୁଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ରେଙ୍ଗାଲି ପୁଲିସ୍ ଝାରସୁଗୁଡ଼ା ଜିଆରପି କନେଷ୍ଟବଳ ଭାବେ କାର୍ୟ୍ୟରତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବିଶିପାଲି ତୂରାମୁରାର ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୨୧ କେଜି ଗଞ୍ଜେଇ ଏବଂ ଏହି ଘଟଣାରେ ବ୍ୟବହୃତ ଝାରସୁଗୁଡ଼ା ଜିଆରପି ଡିଏସ୍ପି ରମାକାନ୍ତ ସାହୁଙ୍କ ସରକାରୀ ଗାଡ଼ି ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଏନେଇ ରେଙ୍ଗାଲି ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଶନିବାର ରାତିରେ ବୌଦ୍ଧରୁ ଝାରସୁଗୁଡ଼ାକୁ ଏକ ଧଳା ରଙ୍ଗର ବଲେରୋରେ ଗଞ୍ଜେଇ ଚାଲାଣ ହେଉଥିଲା। କୌଣସି ସୂଚନା ପାଇ ରେଙ୍ଗାଲି ଥାନାଧିକାରୀ ଓ ତାଙ୍କ ଟିମ୍ କଲେଜ ଛକରେ ଛକି ରହିଥିଲେ। ସାଢ଼େ ୭ଟା ସମୟରେ ନାଲିବତି ଲଗା ଏକ ଧଳା ରଙ୍ଗର ବଲେରୋ ଉକ୍ତ ଛକ ପାର୍ କରିଥିଲା। ପୁଲିସ୍ ସନ୍ଦେହରେ ଗାଡ଼ିଟିକୁ ପିଛା କରିବାରୁ ଗାଡ଼ିଟି ଦ୍ରୁତ ବେଗରେ ଖସିବାକୁ ଉଦ୍ୟମ କରିଥିଲା। ତେବେ ପ୍ରାୟ ଦେଢ଼ କିମି ଗୋଡ଼ାଗୋଡ଼ି ପରେ ରେଙ୍ଗାଲି ଥାନା ରାମପଡ଼ା ଛକରେ ଉକ୍ତ ଗାଡ଼ିକୁ ରେଙ୍ଗାଲି ପୁଲିସ୍ ଅଟକାଇଥିଲା। ଯାଞ୍ଚ ପରେ ଗାଡ଼ି ପଛ ସିଟରେ ଏକ ବସ୍ତାରେ ଭର୍ତ୍ତି ୨୧ କିଲୋଗ୍ରାମ୍ ଓଜନର ଗଞ୍ଜେଇ ମିଳିଥିଲା। ତେବେ ପଚରାଉଚରା ପରେ ଏହି ଗାଡ଼ିଟି ଝାରସୁଗୁଡ଼ା ଜିଆରପି ଡିଏସ୍ପି ରମାକାନ୍ତ ସାହୁଙ୍କର ଓ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣଙ୍କ ଜିଆରପି କନେଷ୍ଟବଳ ବୋଲି ଜଣାପଡ଼ିଥିଲା। ଡିଏସ୍ପି ଶ୍ରୀ ସାହୁଙ୍କୁ ଘରେ ଛାଡ଼ିବା ପରେ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ଗାଡ଼ିରେ ତେଲ ଭର୍ତ୍ତି କରିବାକୁ ଯାଉଛି କହି ଗଞ୍ଜେଇ ନେବାକୁ ଆସିଥିବା କହିଥିଲେ । ଏହି ଗଞ୍ଜେଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରାଞ୍ଚିକୁ ଟ୍ରେନ୍ ଯୋଗେ ଚାଲାଣ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular