ମୁମ୍ବାଇ/ ନୂଆଦିଲ୍ଲୀ: ଦୀପାବଳି ଓ ଧନତେରାସ ପାଇଁ ଆଉ ମାତ୍ର ଏକ ସପ୍ତାହ ବାକି ରହିଥିବା ବେଳେ ଆଜି ଦେଶରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଘଟିଛି । ଦୀପାବଳି ଏବଂ ଧନତେରାସର ଅବ୍ୟବହିତ ପୂର୍ବରୁ ସୁନାର ମୂଲ୍ୟରେ ଏହି ହ୍ରାସ ଘଟିଥିବା କହିଛି ମଲ୍ଟି-କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)। ଆଜି ସୁନା ମୂଲ୍ୟ (୨୨-କ୍ୟାରେଟ) ୧୦ ଗ୍ରାମ ପ୍ରତି ୪୭,୭୦୯ ଟଙ୍କାକୁ ହ୍ରାସ ପାଇଛି। ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ହ୍ରାସ ଘଟିଥିବା ବେଳେ ଏହାର ପ୍ରଭାବ ଭାରତୀୟ ସୁନା ବଜାର ଉପରେ ପଡ଼ିଥିବା କହିଛି ଏମସିଏକ୍ସ। ଉଲ୍ଲେଖଯୋଗ୍ୟ, ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଆମେରିକୀୟ ଡଲାରରେ ୦.୨ ପ୍ରତିଶତ ହ୍ରାସ ପାଇଛି ।
ତେବେ, ଏହି ସମୟରେ ଭାରତରେ ପ୍ରତି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ୪୮,୧୩୦ ଟଙ୍କାରେ କାରବାର ହେଉଛି। ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଥିଲା ୪୮,୨୭୦। ବୁଧବାର ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ୍ ସୁନା ୪୬,୯୦୦ ଟଙ୍କା, ମୁମ୍ବାଇରେ ୪୭,୧୩୦ ଟଙ୍କା, କୋଲକାତାରେ ୪୭,୪୦୦ ଟଙ୍କା ଏବଂ ଚେନ୍ନାଇରେ ୪୫,୦୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୧,୧୬୦ ଟଙ୍କା ଥିବାବେଳେ ମୁମ୍ବାଇରେ ୪୮,୧୩୦ ଟଙ୍କା, କୋଲକାତାରେ ୫୦,୧୦୦ ଟଙ୍କା ଏବଂ ଚେନ୍ନାଇରେ ୪୯,୧୮୦ ରହିଛି।
ଅନ୍ୟପକ୍ଷରେ ଆଜି ରୂପା ଦର ମଧ୍ୟ କିଲୋଗ୍ରାମ ପିଛା ୦.୦୩ ପ୍ରତିଶତ ହ୍ରାସ ପାଇ ୬୪,୭୯୧ ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ଆଗକୁ ସୁନା ଏବଂ ରୂପା ମୂଲ୍ୟରେ ଆହୁରି ଅଧିକ ହ୍ରାସ ପରିଲକ୍ଷିତ ହୋଇପାରେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0