ଭୁବନେଶ୍ବର: କୋଭିଡ ମହାମାରୀ ପାଇଁ ରାଜ୍ୟ ସରକାର କର୍ମଚାରୀଙ୍କ ନିଜସ୍ବ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ରିପୋର୍ଟ ଓ ସମ୍ପତ୍ତି ତାଲିକା ପ୍ରଦାନ ଅବଧିକୁ ସମ୍ପ୍ରସାରଣ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିଜସ୍ବ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ରିପୋର୍ଟ ଅବଧିକୁ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ସମ୍ପତ୍ତି ତାଲିକା ପ୍ରଦାନ ଅବଧିକୁ ସାନି ୨୦୨୦ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ପୃଥକ ଭାବେ ଦୁଇଟି ଚିଠି ଲେଖି ଜଣାଇଛନ୍ତି। ନିଜସ୍ବ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ରିପୋର୍ଟ ପ୍ରଦାନ ପାଇଁ ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏ ସମ୍ପର୍କରେ ଚିଠି ଲେଖି ସ୍ବତନ୍ତ୍ର ଶାସନ ସଚିବ ଜଣାଇଛନ୍ତି, ଅଧିକାଂଶ ସରକାରୀ କର୍ମଚାରୀ କୋଭିଡ୍ ମହାମାରୀ ନିୟନ୍ତ୍ରଣ ନେଇ ବିଭିନ୍ନ ଦାୟିତ୍ବରେ ବ୍ୟସ୍ତ ଥିବାରୁ ୨୦୧୯-୨୦ ବର୍ଷ ପାଇଁ କର୍ମଚାରୀମାନେ ଇ-ପାର୍ ରିପୋର୍ଟ ଏଚଆରଏମ୍ ଜରିଆରେ ପ୍ରଦାନ କରିପାରି ନାହାନ୍ତି। ସେମାନଙ୍କୁ ଆଉ ମାସେ ସମୟ ଦିଆଯାଉଛି। ଏଥିପାଇଁ ବିଭିନ୍ନ କର୍ମଚାରୀ ସଂଘ ସରକାରଙ୍କୁ ଅନୁରୋଧ କରିଥିଲେ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ନିଜସ୍ବ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ରିପୋର୍ଟକୁ କର୍ମଚାରୀମାନେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ପ୍ରଦାନ କରିବେ। ସେମାନଙ୍କ ରିପୋର୍ଟିଂ କର୍ତ୍ତୃପକ୍ଷ ନଭେମ୍ବର ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟଦକ୍ଷତା ପ୍ରଦର୍ଶନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ସେହିପରି ରିଭ୍ୟୁୟିଂ କର୍ତ୍ତୃପକ୍ଷ ଆସନ୍ତା ନଭେମ୍ବର ୩୦ ତାରିଖ ଓ ଆକ ସେପ୍ଟିଂ କର୍ତ୍ତୃପକ୍ଷ ୨୦୨୦ ଡିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପତ୍ତି ତାଲିକା ନେଇ ସଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଜଣାଇଛନ୍ତି, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖରେ ସରୁଥିବା ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ସେହିବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବାର ନିୟମ ରହିଛି। କିନ୍ତୁ ଚଳିତବର୍ଷ କୋଭିଡ ମହାମାରୀ ପାଇଁ ଅଧିକାଂଶ କର୍ମଚାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିନପାରିବାରୁ ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ପୂର୍ବରୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ସମ୍ପ୍ରତ୍ତି ରାଜ୍ୟରେ କୋଭିଡ ମହାମାରୀ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଏହି ସମୟ ଭିତରେ ସମ୍ପତ୍ତି ତାଲିକା ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୯ ଏପ୍ରିଲ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ରେ ସରିଥିବା ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ତାଲିକା ପ୍ରଦାନ ଅବଧିକୁ ନଭେମ୍ବର ୧୫ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କର୍ମଚାରୀମାନେ ନିଜ ସମ୍ପତ୍ତିର ତଥ୍ୟ ଅନଲାଇନ ଏଚଆରଏମଏସ ପୋର୍ଟାଲ୍ ଜରିଆରେ ସରକାରଙ୍କୁ ପ୍ରଦାନ କରିବେ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0