ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଛି । ୧୦ ଡିଗ୍ରି ତଳେ ରାଜ୍ୟର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୫ ଡିଗ୍ରି ମଧ୍ୟରେ ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ କିଛି ଦିନ ହେବ ଘନ କୁହୁଡି ଦେଖିବାକୁ ମିଳୁଛି । ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ୧୬ ରୁ ୧୮ ଡିଗ୍ରି ମଧ୍ୟରେ ରହିଛି । ଅସ୍ତରଙ୍ଗ ଉପକୂଳରେ ଆଜି ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା । ଦିନ ୯ ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡିର ଆସ୍ତରଣ ଢାଙ୍କି ରହିଥିଲା । ୪ ଦିନ ହେବ ଏପରି କୁହୁଡି ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବିମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ଦେଇଛନ୍ତି । ଏଭଳି ଆଉ କିଛି ଦିନ ଲାଗି ରହିଲେ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସେପଟେ ଆସନ୍ତା ୧୬ ତାରିଖରେ ଉତ୍ତର ପଶ୍ଚିମ ଓଡିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ । ଫଳରେ ୧୬ ତାରିଖ ଆଡକୁ ରାଜ୍ୟର ସର୍ବନିମ୍ନ ରାତ୍ରୀ ତାପମାତ୍ରା ବଢିବ ଓ ଶୀତ କମିବ । ତେବେ ୧୭ ତାରିଖରୁ ରାଜ୍ୟରେ ଶୀତ ଲହରୀ ପୁଣି ଥରେ ଆରମ୍ଭ ହୋଇଯିବ ଓ କୁହୁଡି ବି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0